ଅପରାଧ

ରାଜଧାନୀରେ ଚାଞ୍ଚଲ୍ୟ: ବିଦେଶୀଙ୍କ ବେକରେ ଛୁରି ଲଗାଇ ଲୁଟ୍‌

ଭୁବନେଶ୍ୱର:  ଖାରବେଳନଗର ଥାନା ଅଧୀନ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବୁଧବାର ବିଳମ୍ବିତ ରାତିରେ ଜଣେ ବିଦେଶୀ ନାଗରିକଙ୍କ ମୁଣ୍ଡରେ ଛୁରି ଲଗାଇ ଲାପଟପ୍‌, ବିଦେଶୀ ମୁଦ୍ରା ଓ ମୋବାଇଲ୍‌ ଫୋନ୍‌ ଲୁଟ ହୋଇଛି। ଏ ନେଇ ସଂପୃକ୍ତ ନାଗରିକ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। କେବଳ ସଂପୃକ୍ତ ବିଦେଶୀ ନାଗରିକ କାହିଁକି ଗତ ଏକ ସପ୍ତାହ ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରୁ ୫ଜଣ ଲୁଟ୍‌ପାଟର ଶିକାର ହେଲେଣି। ପୁଲିସର ପାଟ୍ରୋଲିଂ ଅଭାବରୁ ଏଭଳି ଲୁଟ୍‌ପାଟ ପୁଣିଥରେ ଆରମ୍ଭ ହୋଇଯାଇଛି ବୋଲି ଜଣେ ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ଜଣେ ପ୍ରବାସୀ ଭାରତୀୟଙ୍କଠାରୁ ଲୁଟ୍‌ ହେବା ଘଟଣାରେ କମିସନରେଟ୍‌ ପୁଲିସ ଏଯାଏଁ ଅପରାଧୀଙ୍କୁ ଗିରଫ କରି ନଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବିଦେଶୀ ନାଗରିକଙ୍କୁ ଲୁଟିବା ଘଟଣା କମିସନ୍‌ରେଟ୍‌ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷ୍ଟେସନ୍‌ ଓ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରବେଶ ପଥ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱରକୁ ଏହି ଛକ ଦେଇ ଆସିଥାନ୍ତି। ସହରର ଏହି ପ୍ରବେଶ ପଥକୁ ଅପରାଧମୁକ୍ତ ଓ ଟ୍ରାଫିକ୍‌ ବିହୀନ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ବର୍ଷ ତଳେ ପଦକ୍ଷେପ ନେଇଥିଲା। ଏହି କାରଣରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ଫାଣ୍ଡି ପ୍ରତିଷ୍ଠା ହେଲା। ୨୪ ଘଣ୍ଟିଆ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। କିନ୍ତୁ ପୂର୍ବଭଳି ଏବେ ପୁଣିଥରେ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମିବା ଆରମ୍ଭ ହୋଇଯାଇଛି। ଦିନ ରାତି ୨୪ଘଣ୍ଟା ନିଶା ଖାଇ ଯୁବକମାନେ ଘୂରି ବୁଲୁଛନ୍ତି। ବେଧଡ଼କ ଗଞ୍ଜେଇ କାରବାର ଚାଲିଛି। ଭୋର୍‌ରୁ ଜୁଆର ପସରା ବି ମେଲୁଛି। ନିଶାଦିଆ ଲୁଟେରା ଏବେ ସେଠାରେ ସକ୍ରିୟ ଅଛନ୍ତି।

ଏ ସମ୍ପର୍କରେ ଖାରବେଳନଗର ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି, ପୁଲିସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରେ କଡ଼ା ପାଟ୍ରୋଲିଂ କରାଯାଉଛି। ବିଦେଶୀ ନାଗରିକଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ସତ। କିନ୍ତୁ ତାଙ୍କ ଅଭିଯୋଗ ଉପରେ ସନ୍ଦେହ ହୋଇଛି। ସେ ଜଣେ ନାଇଜେରିଆ ଠକ। ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ଏହି ଘଟଣାର ପର୍ଦାଫାସ ହେବ ବୋଲି ଇନ୍ସପେକ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button