ଅପରାଧ

ପୁଲିସ ଭ୍ୟାନରୁ ‘ଛେଳି’ ଫେରାର

ଆଓରି-କଟକ(୧୭/୬): ନିଶ୍ଚିନ୍ତକୋଇଲି ଥାନା ପୁଲିସ ୪ଜଣ ଏଟିଏମ୍‍ ଲୁଟିଆଙ୍କୁ ଶନିବାର କୋର୍ଟ ନେଉଥିବା ବେଳେ ଦୁର୍ଦାନ୍ତ ଅପରାଧୀ ବାବୁ ସାମଲ ଓରଫ ଛେଳି ପୁଲିସଭ୍ୟାନରୁ ଫେରାର ହୋଇଯାଇଛି।
କଟିକଟା ବଜାରରୁ ଗତ ବୁଧବାର ରାତିରେ ଏକ ଏଟିଏମ୍‍ରୁ ଟଙ୍କା ଲୁଟ୍‍ ପାଇଁ ଉଦ୍ୟମ ହେଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମାନେ ୪ଜଣ ଲୁଟିଆଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରିବା ପରେ ଶନିବାର କୋର୍ଟକୁ ନେଉଥିଲା। ତେବେ ପୁଲିସ ଭ୍ୟାନରୁ ଦୁର୍ଦାନ୍ତ ଅପରାଧୀ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର କୋଠ ବଡ଼ସାହିର ବାବୁ ସାମଲ (ଛେଳି) ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା। ତେବେ ଅନ୍ୟ ୩ଜଣ ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର ତାରାକାନ୍ତ ଦାସ (୩୧), ଅନାଦୀଚରଣ ସାମଲ (୨୩) ଓ କାଠାହାରା ପାଟପୁର ଗ୍ରାମର ସୋନୁ କାଣ୍ଡି ଓରଫ ଧଣ୍ଡୁଆ (୨୦)କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି। ଏହି ଚାରିଜଣ ଲୁଟିଆଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଚୋରି, ଡ଼କାୟତି, ରାହାଜାନି ଆଦି ବିଭିନ୍ନ ଅପରାଧମୂଳକ ମାମଲା ରହିଛି। ଫେରାର ଛେଳିକୁ ପୁଲିସ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତା’ର ଟେର୍‍ ପାଇପାରି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button