March 30, 2023

ନୌସେନା ଘାଟି ନିର୍ମାଣ ବନ୍ଦ କଲା ସିଚେଲ୍ସ ; ଭାରତକୁ ଶକ୍ତ ଧକ୍କା

1 min read

ଆଓରି-ନୂଆଦିଲ୍ଲୀ(୨୩/୬): ଦ୍ୱୀପ ରାଷ୍ଟ୍ର ସିଚେଲ୍ସର ରାଷ୍ଟ୍ରପତି ଡ୍ୟାନି ଫରେ ୬ଦିନିଆ ଭାରତ ଗସ୍ତରେ ଆସି ଶନିବାର ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି। ରବିବାର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହୋଇଛି; କିନ୍ତୁ ଏହି ସାକ୍ଷାତ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଭାରତକୁ ସିଚେଲ୍ସ ବଡ଼ ଧରଣର ଆଘାତ ଦେଇଛି। ଭାରତ ମହାସାଗର ଅନ୍ତର୍ଗତ ଆଫ୍ରିକୀୟ ଆଜମ୍ପସନ୍‍ ଦ୍ୱୀପରେ ଭାରତୀୟ ନୌସେନା ଘାଟି ନିର୍ମାଣ ଯୋଜନାକୁ ସିଚେଲ୍ସ ଅଟକାଇ ଦେଇଛି। ଫଳରେ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଭାରତକୁ ଶକ୍ତ ଧକ୍କା ଲାଗିଛି।

ଏହି ପ୍ରକଳ୍ପକୁ ମଞ୍ଜୁରୀ ସମ୍ବନ୍ଧୀୟ ପ୍ରସ୍ତାବ ସଂସଦରେ ଉପସ୍ଥାପନ କରାଯିବ ନାହିଁ ବୋଲି ସିଚେଲ୍ସ ସରକାର କହିଛନ୍ତି। ଏଣୁ ପ୍ରକଳ୍ପଟି ଆପାତତଃ ବନ୍ଦ ହୋଇଯାଇଛି।ନୌସେନା ଘାଟି ନିର୍ମାଣ ଲାଗି ଭାରତକୁ ଅନୁମତି ପ୍ରଦାନ କରାଯିବା ପ୍ରସଙ୍ଗକୁ ନେଇ ସିଚେଲ୍ସର ବିରୋଧୀ ଦଳଗୁଡିକ ସଂସଦରେ ଜୋରଦାର ବିରୋଧ କରିଥିଲେ। ଭାରତ ଏଠାରେ ନୌସେନା ଘାଟି ନିର୍ମାଣ କରିବା ଦ୍ୱାରା ୧୧୫ ଦ୍ୱୀପ ବିଶିଷ୍ଟ ରାଷ୍ଟ୍ର ସିଚେଲ୍ସର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେମାନେ ଦର୍ଶାଇଥିଲେ। ପ୍ରବଳ ବିରୋଧକୁ ଦୃଷ୍ଟିରେ ରଖି ସିଚେଲ୍ସ ସରକାର ସଂସଦରେ ଘାଟି ନିର୍ମାଣ ଯୋଜନାକୁ ମଞ୍ଜୁରୀ ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ କରିବେ ନାହିଁ ବୋଲି ବୈଦେଶିକ ସଚିବ ବେରୀ ଫାଉରେ ଶୁକ୍ରବାର ପ୍ରକାଶ କରିଛନ୍ତି। ଜୁନ୍‍ ୪ତାରିଖରେ ଡ୍ୟାନି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଅଜମ୍ପସନ୍‍ ଦ୍ୱୀପରେ ସିଚେଲ୍ସ ଏକକ ଭାବେ ନୌସେନା ଘାଟି ପ୍ରତିଷ୍ଠା କରିବ। ଏହି ଘୋଷଣା ପରେ ଭାରତ ମହାସାଗରରେ ନିଜର ସାମରିକ ଶକ୍ତି ବୃଦ୍ଧି ଲକ୍ଷ୍ୟ ରଖିଥବା ଭାରତକୁ ଶକ୍ତ ଧକ୍କା ଲାଗିଛି।

ଏହି ନୌସେନା ଘାଟି ନିର୍ମାଣ ଲାଗି ୨୦୧୫ରେ ଉଭୟ ରାଷ୍ଟ୍ର ମଧ୍ୟରେ ଏକ ୨୦ବର୍ଷିୟା ରାଜିନାମା ସ୍ୱାକ୍ଷର ହୋଇଥିଲା। ଏହାଛଡ଼ା ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାଳରେ ସାନି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଭାରତ ଇତିମଧ୍ୟରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିସାରିଛି। ଏହି ଘାଟି ପ୍ରତିଷ୍ଠା ହୋଇଥିଲେ ଭାରତକୁ ଚୀନ୍‍ର ମୁକାବିଲା କରିବା ସହଜ ହୋଇଥାଆନ୍ତା। ତେବେ ସିଚେଲ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାଳରେ ଏ ନେଇ ଆଲୋଚନା ହେବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ଗତ ବର୍ଷ ଚୀନ୍‍ ଆଫ୍ରିକୀୟ ରାଷ୍ଟ୍ର ଜିବୋତିରେ ଏହାର ପ୍ରଥମ ବର୍ହିଦେଶୀୟ ଘାଟି ପ୍ରତିଷ୍ଠା କରିବା ପରେ ଏହା ଭାରତ ପ୍ରତ ବିପଦର କାରଣ ହୋଇଛି। ସେ ଦୃଷ୍ଟିରୁ ସିଚେଲ୍ସରେ ନୌସେନା ଘାଟି ନିର୍ମାଣ ହୋଇଥିଲେ ଭାରତ ମହାସାଗର ଅଞ୍ଚଳରେ ଭାରତ ନିଜର ଆଧିପତ୍ୟ ଜାହିର କରିପାରିଥାଆନ୍ତା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.