ଜିଲ୍ଲା
ଧର୍ମେନ୍ଦ୍ରଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମାଲୋଚନା
![](http://www.aajiraodisha.org/wp-content/uploads/2016/09/dharmendra-pradhan.jpg)
ଅାଜିର ଓଡ଼ିଶା ବ୍ୟୁରୋ, ଭୁବନେଶ୍ୱର:
ଗୁରୁ ଦିବସରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବ ଥର ଠାରୁ ଏଥର ଭାଷା ଆହୁରି ଶାଣିତ କରିଛନ୍ତି। ‘ଟିଚର୍-ଅନ୍-କଲ୍’ ଯୋଜନାକୁ ସମାଲୋଚନା କରି ପୂର୍ବରୁ ସେ ଯାହା କହିଥିଲେ, ସେଥିରେ ସେ ଅଟଳ ଅଛନ୍ତି ବୋଲି ଜଣାଇଦେଇଛନ୍ତି।
ଆଜି ନିଜ ଫେସ୍ବୁକ୍ ଓ ଟ୍ଵିଟର୍ରେ ତଥ୍ୟ ଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନୂଆ ଅନୁଦାନପ୍ରାପ୍ତ ଶିକ୍ଷକ, ଗଣଶିକ୍ଷକ ଓ ଶିକ୍ଷା ସହାୟକ ଏହି ତିନି ଶ୍ରେଣୀରେ ୧,୦୭,୭୫୨ ଶିକ୍ଷକ, ଶିକ୍ଷୟିତ୍ରୀ ଠିକାରେ କାମ କରୁଛନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ଥିକ ଚିନ୍ତାରୁ ମୁକ୍ତ କରିବା ଦାୟିତ୍ୱ ସରକାରଙ୍କର। ସେହିପରି ରାଜ୍ୟର ହାଇସ୍କୁଲ୍ଗୁଡ଼ିକରେ ୧୩,୯୭୭ ପଦବି ଫାଙ୍କା ପଡ଼ିଛି। କିନ୍ତୁ ବିଏଡ୍ ଓ ସିଟି ପାସ୍ କରି ବହୁ ଯୁବକ, ଯୁବତୀ ଚାକିରି ଅପେକ୍ଷାରେ ଅଛନ୍ତି। ରାଜ୍ୟର ୩୮ଟି ଗ୍ରାମ ପଞ୍ଚାୟତରେ ଆଦୌ ହାଇସ୍କୁଲ୍ ନାହିଁ। ୩୭୬ଟି ବିଦ୍ୟାଳୟର ନିଜସ୍ୱ ଘର ନାହିଁ। ୮୦ ପ୍ରତିଶତ ସ୍କୁଲ୍ରେ ଖେଳପଡ଼ିଆ ନାହିଁ। ୪୧,୬୭୦ ଏମିତି ବିଦ୍ୟାଳୟ ଅଛି, ଯେଉଁଠି ପ୍ରତି ଶ୍ରେଣୀ ପାଇଁ ଗୋଟିଏ ବଖରା ଶ୍ରେଣୀ ଗୃହ ନାହିଁ।
ଓଲା ଓ ଉବେର ପ୍ରସଙ୍ଗରେ ବିଜେଡିର ସମାଲୋଚନା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ସେମାନେ ସମାଲୋଚନା କରନ୍ତୁ, ଆପତ୍ତି ନାହିଁ। କିନ୍ତୁ ମୂଳ ପ୍ରସଙ୍ଗରୁ ନ ହଟନ୍ତୁ। ଠିକାରେ କାମ କରୁଥିବା ଶିକ୍ଷକମାନଙ୍କୁ ନିୟମିତ କରନ୍ତୁ।
‘ଟିଚର୍-ଅନ୍-କଲ୍’ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଏକ ଯୋଜନା ବୋଲି ହେଉଥିବା ଅଭିଯୋଗ ଉପରେ ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର ସରକାର କେବେ ଏମିତି ନିର୍ଦ୍ଦେଶ ଦେଇଛନ୍ତି, ସେ ଖବର ମୋ ପାଖରେ ନାହିଁ। କେନ୍ଦ୍ର ଶିକ୍ଷା ସଚିବଙ୍କୁ ଏ ସମ୍ପର୍କରେ ପଚାରିଲା ବେଳକୁ ସେ ବି କହିପାରୁନାହାନ୍ତି। ରାଜ୍ୟ ସରକାର ଅଯଥାରେ ବିଭ୍ରାନ୍ତି କରନ୍ତୁ ନାହିଁ।
କେନ୍ଦ୍ର ମନ୍ତ୍ରୀଙ୍କ ଏପରି ତଥ୍ୟକୁ ଅସ୍ୱୀକାର କରିନାହାନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମିଶ୍ର। ତେବେ ଅନ୍ୟ ରାଜ୍ୟ ଠିକା ଶିକ୍ଷକଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାରେ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଅସୁବିଧା ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସବୁ ଖେଳ ପଡ଼ିଆ, ସ୍କୁଲ୍ ଘର ଆଦି ଗୋଟିଏ ଦିନରେ ନିର୍ମାଣ ହୋଇଯାଏ ନାହିଁ। କାମ ଚାଲିଛି। ପର୍ଯ୍ୟାୟକ୍ରମେ ସମସ୍ୟାର ସମାଧାନ ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।