ଜିଲ୍ଲାରେ ସରକାରୀ କଲେଜ ନଥିବା ସମୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ
1 min read
ଆଓରି-ଭୁବନେଶ୍ଵର(୧୭/୦୭) : ରାଜ୍ୟର ୩ଟି ଜିଲ୍ଲାରେ ସରକାରୀ କଲେଜ ନାହିଁ । ଝାରସଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରୀ କଲେଜ୍ ନଥିବା ନେଇ ଇନଚାର୍ଜ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ଦେଇଛନ୍ତି । ତେବେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅନୁପସ୍ଥିତ ଥିବାରୁ ଭାରପ୍ରାପ୍ତ ମନ୍ତ୍ରୀ ବିଜେପି ନେତା ମୋହନ ମାଝିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ତିନୋଟି ଜିଲ୍ଲାରେ ସରକାରୀ କଲେଜ୍ ନାହିଁ ଅନ୍ୟପଟେ ମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଗୃହରେ ଇନ୍ଚାର୍ଜଙ୍କୁ ପଠାଇ ଗୋଳମାଳିଆ ଉତ୍ତର ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ସଠିକ ଉତ୍ତର ମିଳିପାରୁନି ବୋଲି ବିଜେପି-କଂଗ୍ରେସ ଅଭିଯୋଗ କରିଛନ୍ତି ।
ପାଟକୁରା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ । ରାଜ୍ୟ ସ୍ୱାର୍ଥ କଥା ଦୂରରେ, ଗୃହକୁ ବି ଆସୁନାହାନ୍ତି ମନ୍ତ୍ରୀ । ସେ ଯାହା ହେଉ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣବତ୍ତା ବଢାଇବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଥିବା କହୁଥିବା ବେଳେ ୩ଟି ଜିଲ୍ଲାରେ ସରକାରୀ କଲେଜ୍ ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ହୋଇଥିବା ବେଳେ ପିଲାମାନଙ୍କ ପାଠ ପଢା କେଉଁ ଆଡ଼କୁ ଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ସମସ୍ତ ସରକାରୀ କଲେଜ୍ରେ ବାୟୋମେଟ୍ରିକ୍ ଲଗାଯିବ । ଏହାଦ୍ୱାରା ଶିକ୍ଷାର ମାନ ବୃଦ୍ଧି ପାଇବ । ଶିକ୍ଷାର ମାନ କଥା ଚିନ୍ତା କରିବା ପୂର୍ବରୁ ଶିକ୍ଷାନୁଷ୍ଠାନ ନିର୍ମାଣ କଥା ସରକାର ଚିନ୍ତା କରିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।