ଜାତୀୟ

ଖଣିଜ ପ୍ରତିଷ୍ଠାନ ପାଣ୍ଠି ବିକାଶ କ୍ଷେତ୍ରରେ ବଡ ଘୋଟଲାର ସମ୍ଭାବନା

ଦେଶର ସର୍ବାଧିକ ପାଣ୍ଠି (ପ୍ରାୟ ୩୭୩୫ କୋଟି) ସଂଗ୍ରହ ନେଇ କେନ୍ଦ୍ର ଠାରୁ ପ୍ରଶଂସା ପାଉଥିବା ଓଡ଼ିଶା। ଅନ୍ୟପଟେ ଏହି ପାଣ୍ଠି ବିନିଯୋଗ ଆଳରେ ଅର୍ଥ ହଡ଼ପ ଷଡ୍‌ଯନ୍ତ୍ର ଯୋଜନା ହୋଇଥିବା ନେଇ ସନ୍ଦେହ କ୍ରମଶଃ ଦୃଢୀଭୂତ ହେଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବିକାଶ କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ପାଇଁ ସରକାର ବାଟ ଖୋଲିଦେଇଛନ୍ତି ସାଂଘାତିକ ଅଭିଯୋଗ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ସରକାର ଏ ମଧ୍ୟରେ ୧୮୬୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଦେଇଛନ୍ତି। ହେଲେ ଏ ମଧ୍ୟରୁ କେତେ ପ୍ରତିଶତ ଅର୍ଥ ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ସ୍ଥାନୀୟ ଲୋକଙ୍କ ବିକାଶ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରିବା ବଦଳରେ କାହା ସ୍ୱାର୍ଥରେ ଏସବୁକୁ ହାତକୁ ନିଆଯାଇଛି, ଏହି ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କଲାଣି। ଆଗାମୀ ଦିନରେ ଖଣିଜ ପାଣ୍ଠି ଯେ ଏକ ବଡ଼ ଦୁର୍ନୀତିକୁ ଜନ୍ମ ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଅନୁଗୁଳ ଭଳି ଜିଲ୍ଲାରେ ବିନା ଟେଣ୍ଡରରେ ପ୍ରକଳ୍ପ ହାତକୁ ନିଆଯାଉଥିବା ଅଭିଯୋଗ ଆସିଥିବା ବେଳେ କେନ୍ଦୁଝର ଜିଲ୍ଲା ଭଳି ଖଣି ଖାଦାନ ଅଞ୍ଚଳରେ ଟ୍ୟୁବେଓ୍ଵଲ ଖନନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଏବେ ଯୋଜନାର କାର୍ଯ୍ୟାନ୍ଵୟନ ପ୍ରକ୍ରିୟାରେ ସନ୍ଦେହର ବିଷ ମଞ୍ଜି ବୁଣିଲାଣି। ପ୍ରଭାବିତ ଅଞ୍ଚଳର ବିକାଶ ପରିବର୍ତେ କାହା ସ୍ୱାର୍ଥରେ ଶହ ଶହ କୋଟି ଟଙ୍କା ଶକ୍ତି ବିଭାଗକୁ ଦିଆଯାଉଛି, ଷ୍ଟାଡିୟମ ନିର୍ମାଣ ପାଇଁ ବ୍ୟୟବରାଦ ଯୋଜନା ହେଉଛି, ସହରାଞ୍ଚଳ ବିକାଶ ଦିଗରେ ଖର୍ଚ୍ଚ ହେବ, ତାହାକୁ ନେଇ ବିତର୍କ ମୁଣ୍ଡ ଟେକିଲାଣି।
ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି କୁହାଯାଉଥିବା ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପୁଷ୍ଟିହୀନତା ଦୂର କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯିବା ଉପରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିଲା। କେବଳ ସେତିିକି ନୁହେଁ, ଏହି ରିପୋର୍ଟ ଦର୍ଶାଇଥିଲା ଯେ ଖଣି ଅଞ୍ଚଳରେ ପାଣି ଅଧିକ ପ୍ରଦୂଷିତ। ଏ କ୍ଷେତ୍ରରେ ଟ୍ୟୁବେଓ୍ଵଲ୍‌ ଖନନକୁ ବିଶେଷ ଉତ୍ସାହିତ କରାଯାଏନାହିଁ। ମାତ୍ର ଜିଲ୍ଲାପାଳମାନେ ଟ୍ୟୁବେଓ୍ଵଲ୍‌ ସ୍ଥାପନ ଦିଗରେ ମାତ୍ରାଧିକ ଆଗ୍ରହ ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଖାସ୍‌ ଏଇଥିପାଇଁ ଜିଲ୍ଲା ଜିଲ୍ଲା ଖଣିଜ ପାଣ୍ଠି (ଲାଗି ସଂଗୃହୀତ ହୋଇଥିବା ଅର୍ଥର୮ ପ୍ରତିଶତ ମଧ୍ୟ ଖର୍ଚ୍ଚହୋଇ ପାରିନାହିଁ। ଶହ ଶହ କୋଟି ଟଙ୍କା ଜିଲ୍ଲାପାଳମାନେ ଧରି ବସିଛନ୍ତି। ତଥ୍ୟ କହୁଛି, ଗତ ନଭେମ୍ବର ଶେଷସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଡିଏମ୍‌ଏଫ୍‌କୁ ୩୭୩୬ କୋଟି ୮୩ ଲକ୍ଷ ଟଙ୍କା ମିଳିଥିବାବେଳେ ଏଥିରୁ ଖର୍ଚ୍ଚହୋଇଛି ମାତ୍ର ୨୮୬ କୋଟି ୨୭ ଲକ୍ଷ ଟଙ୍କା। ଯାହାକି ସଂଗୃହୀତ ଅର୍ଥର ମାତ୍ର ୭.୬୬%। ଉଦାହରଣ ସ୍ୱରୂପ: ଅନୁଗୁଳ ଜିଲ୍ଲାରେ ୭୬୮ କୋଟି ୭୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଖର୍ଚ୍ଚ ହୋଇଛି ୪୨ କୋଟି ୬୦ ଲକ୍ଷ। ସୁନ୍ଦରଗଡ ଜିଲ୍ଲାର ଡିଏମ୍‌ଏଫ୍‌କୁ ୬୫୩ କୋଟି ୩୩ ଲକ୍ଷ ଟଙ୍କା ଆସିଛି, ସେଥିରୁ ୫୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button