May 31, 2023

କୁମ୍ଭୀର କବଳରୁ ଗତକାଲି ଜଣେ ଯୁବକ ବଞ୍ଚି ଯାଇଥିଲେ, ଆଜି ମିଳିଛି ଅନ୍ୟ ଜଣଙ୍କର ମୃତଦେହ

1 min read

କେନ୍ଦ୍ରାପଡ଼ା: ମହାକାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ବୁଧବାର କୁମ୍ଭୀର କବଳରୁ ବଞ୍ଚି ଯାଇଥିବା ବେଳେ ଗୁରୁବାର ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତଦେହ ମିଳିଛି। ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ବିଜୟ ପାତ୍ରଙ୍କ ମୃତଦେହ ମିଳିଛି। ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ବୁଧବାର ବିଜୟ ନିଖୋଜ ହୋଇ ଯାଇଥିଲେ। ପରିବାର ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯିବା ପରେ ଓଡ୍ରାଫ ଟିମ ଖୋଜାଖୋଜି କରି ମଧ୍ୟ ବିଫଳ ହୋଇଥିଲା। ବିଜୟଙ୍କ ମୃତଦେହ ଗୁରୁବାର ପାଣିରେ ଭାସୁଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ମହାକାଳପଡ଼ା ଅଞ୍ଚଳର ଜଣେ ଯୁବକ ବୁଧବାର କୁମ୍ଭୀର ପାଟିରୁ ଖସି ଆସିଥିଲା। ଦୁଇଜଣ ମହିଳା ଟେକାପଥର ଫୋପାଡ଼ିବାରୁ କୁମ୍ଭୀର ଉକତ ଯୁବକଙ୍କୁ ଛାଡ଼ି ପାଣିକୁ ପଳାଇବା ପରେ ଯୁବକ ଜଣଙ୍କ ନୂଅାଁ ଜୀବନ ପାଇଥିଲେ।

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତ ବଡ଼ଟୁବି ଗ୍ରାମର କିଣାରାମ ମଣ୍ଡଳ(୩୦) ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଖରିନାସୀ-ଟୁବି ନିକଟ ଗଳିଆ ନଦୀରେ ଫୋପଡ଼ା ଜାଲ ଦ୍ୱାରା ମାଛ ଧରୁଥିଲେ। ତାଙ୍କ ଜାଲରେ ଏକ କୁମ୍ଭୀର ଫସିଯିବାରୁ ଅଧିକ ଓଜନ ଲାଗିଥିଲା। ବଡ଼ ମାଛ ଲାଗିଥିବ ଭାବି କିଣାରାମ ପାଣିରେ ପଶି ଅଣ୍ଡାଳୁଥିବା ବେଳେ ଏକ କୁମ୍ଭୀର ତାଙ୍କ ଡାହାଣ ହାତକୁ କାମୁଡ଼ି ଧରିଥିଲା। ଯନ୍ତ୍ରଣାରେ କିଣା ଚିତ୍କାର କରିବାରୁ ପାଖରେ ଥିବା ଭାରତୀ ବର୍ମନ ଓ ରାଧା ରପ୍ତାନ ଦଉଡ଼ି ଆସିଥିଲେ। ସେ ଦୁହେଁ ଉପସ୍ଥିତ ବୁଦ୍ଧି ଖଟାଇ ପାଖରେ ପଡ଼ିଥିବା ଟେକା ଓ ପଥର କୁମ୍ଭୀର ଉପରକୁ ଫୋପାଡ଼ିଥିଲେ। ବଡ଼ ଟେକାପଥର ପଡ଼ିବାରୁ କୁମ୍ଭୀରଟି କିଣାଙ୍କୁ ଛାଡ଼ି ପାଣିକୁ ପଳାଇଥିଲା। ମହିଳାଦ୍ୱୟ ତାଙ୍କୁ ଉଦ୍ଧାର କରି ଗାଁକୁ ନେଇଥିଲେ ଓ ଗ୍ରାମାବସୀମାନେ ତାଙ୍କୁ ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଭାରତୀ ଓ ରାଧାଙ୍କ ସାହସିକତାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚା। ଏହି ଦୁଇ ମହିଳାଙ୍କ ଯୋଗୁଁ ନୂଆ ଜୀବନ ପାଇଛନ୍ତି ବୋଲି କିଣା କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.