ଆନ୍ତର୍ଜାତୀୟ

କିଶନଗଙ୍ଗା ପ୍ରକଳ୍ପରେ ପାକିସ୍ତାନକୁ ଲାଗିଲା ଝଟକା, ଭାରତର ପ୍ରସ୍ତାବ ପକ୍ଷରେ ବିଶ୍ଵ ବ୍ୟାଙ୍କ

 ଆ.ଓ.ରି.ଦିଲ୍ଲୀ (ତା ୭/୬) ନୂଆଦିଲ୍ଲୀ,ଭାରତର କିଶନଗଙ୍ଗା ନଦୀବନ୍ଧ ପ୍ରକଳ୍ପରେ ଚିଡି ଉଠୁଥିବା ପାକିସ୍ତାନକୁ ପୁଣି ଥରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଭାରତର ଅଭିଯୋଗକୁ ନେଇ ବିଶ୍ଵ ବ୍ୟାଙ୍କର ଦ୍ଵାରସ୍ଥ ହୋଇଥିବା ପାକିସ୍ତାନକୁ ଭାରତର ପ୍ରସ୍ତାବକୁ ସ୍ଵୀକାର  କରିବାକୁ ପରାମର୍ଶ ଦିଆଯାଇଛି। ପାକିସ୍ତାନ ଏହି ବିବାଦକୁ ଏବେ ଅନ୍ତରାଷ୍ଟ୍ରୀୟ କୋର୍ଟକୁ ନେଇ ଯାଇଛି।  ଯେଉଁଠି ଭାରତ ଏକ ନିରପକ୍ଷେ ବିଶେଷଜ୍ଞଙ୍କ ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଛି। ବିଶ୍ଵ ବ୍ୟାଙ୍କ ପାକିସ୍ତାନକୁ ଏହି ମାମଲାରେ ଭାରତର ପ୍ରସ୍ତାବକୁ ସ୍ଵୀକାର କରିବାକୁ ପରାମର୍ଶ ଦେଇଛି।

ଡନ ନ୍ୟୁଜ୍ ମୁତାବକ ଗତ ସପ୍ତାହରେ ବିଶ୍ଵ ବ୍ୟାଙ୍କର ଅଧ୍ୟକ୍ଷ ଜିମ ୟୋଙ୍ଗ କିମ ପାକିସ୍ତାନ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲେ ଯେ ଏହି ବିବାଦକୁ ଅନ୍ତରାଷ୍ଟ୍ରୀୟ କୋର୍ଟକୁ ନେଇ ଯିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ପରିବର୍ତ୍ତନ କରନ୍ତୁ।

ପାକିସ୍ତାନ ସର୍ବଦା ଏହା ଦାବି କରି ଆସୁଥିଲା ଯେ ସିନ୍ଧୁ ନଦୀରେ ଭାରତର ଅନେକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଛି। ମାତ୍ର ଏହା ୧୯୬୦ ସିନ୍ଧୁ ନଦୀ ଜଳ ରାଜିନାମାକୁ ଉଲ୍ଲଂଘନ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଥିଲା।  ବିଶ୍ଵ ବ୍ୟାଙ୍କ ସିନ୍ଧୁ ଓ ଏହାର ଶାଖା ନଦୀର ଜଳ ବଣ୍ଟନ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ରାଜିନାମା କରିଥିଲା।

ଏବେ ସିନ୍ଧୁ ନଦୀ ଉପରେ ପାକିସ୍ତାନର ୮୦ ପ୍ରତିଶତ ଜଳସେଚିତ କୃଷି ନିର୍ଭର କରେ। ପାକିସ୍ତାନର କହିବା କଥା ଯଦି ଭାରତ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରେ ତେବେ କେବଳ ନଦୀର ମାର୍ଗ ବଦଳିବ ନାହିଁ ବରଂ ପାକିସ୍ତାନକୁ ପ୍ରବାହିତ ହେଉଥିବା ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଇବ। ତେଣୁ ଏହି ବିବାଦର ଶୁଣାଣି ଅନ୍ତରାଷ୍ଟ୍ରୀୟ କୋର୍ଟରେ ହେବା ଉଚିତ୍।

ଅନ୍ୟ ପଟେ ଭାରତ ଦାବି କରିଛି ଯେ ସିନ୍ଧୁ ନଦୀ ଜଳ ରାଜିନାମା ଅନୁସାରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବା ତାର ଅଧିକାର ରହିଛି ଏବଂ ଏଥିରେ ନଦୀର ଜଳ ପ୍ରବାହ କିମ୍ବା  ଜଳସ୍ତରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାରତର କହିବା କଥା ବନ୍ଧର ଡିଜାଇନକୁ ନେଇ ପାକିସ୍ତାନ ସହିତ ଥିବା ବିବାଦର ସମାଧାନ ପାଇଁ ନିରପେକ୍ଷ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବା ଉଚିତ୍।

Related Articles

Leave a Reply

Your email address will not be published. Required fields are marked *

Back to top button