ରାଜ୍ୟ

କାମ୍ପା ପାଣ୍ଠିକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଆ.ଓ.ରି(ତା୧୧|୪)- କ୍ଷତିପୂରଣକାରୀ ବନୀକରଣ ପରିଚାଳନା ଓ ଯୋଜନା (କାମ୍ପା) ପାଣ୍ଠି ବିନିଯୋଗକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି । କାମ୍ପା ପାଣ୍ଠିକୁ ବନୀକରଣ ଏବଂ ପରିବେଶ କ୍ଷେତ୍ରରେ ବିନିଯୋଗ ନ କରି ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରିଥିବାରୁ ଓଡ଼ିଶାକୁ ସୁପ୍ରିମକୋର୍ଟ ତାଗିଦ୍‌ କରିଛନ୍ତି । କାମ୍ପା ପାଣ୍ଠି ବିନିଯୋଗକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଏହି ସତ୍ୟପାଠରେ କାମ୍ପା ପାଣ୍ଠି ରାସ୍ତା ନିର୍ମାଣ, ବସଷ୍ଟାଣ୍ଡ ମରାମତି, କଲେଜରେ ପାଠାଗାର ଓ ବିଜ୍ଞାନ ଲାବ୍ରୋଟାରୀ ନିର୍ମାଣରେ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାମ୍ପା ପାଣ୍ଠି ଉଦ୍ୟୋଗ ଦ୍ୱାର ସୃଷ୍ଟି ପ୍ରଦୂଷଣକୁ ରୋକିବା ଏବଂ ବନୀକରଣ କ୍ଷେତ୍ରରେ ବିନିଯୋଗ କରାଯାଇଥାଏ । ଘରୋଇ କମ୍ପାନୀଗୁଡ଼ିକ ଖଣି, କାରଖାନା ଆଦି ନିର୍ମାଣ ପାଇଁ ହଜାର ହଜାର ଏକର ଜଙ୍ଗଲ ଜମି ନେଇଥାନ୍ତି । ଏହି ଜଙ୍ଗଲ ଜମିର ହସ୍ତାନ୍ତରଣ ବେଳେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁସାରେ କ୍ଷତିର ହିସାବ କରାଯାଇଥାଏ । ଏହି କ୍ଷତିପୂରଣ ଅର୍ଥ ସମ୍ପୃକ୍ତ କମ୍ପାନୀ ସରକାରଙ୍କୁ ପ୍ରଦାନ କରିଥାନ୍ତି । ଏହି ଅର୍ଥକୁ କ୍ଷତିପୂରଣକାରୀ ବନୀକରଣ ପରିଚାଳନା ଓ ଯୋଜନା (କାମ୍ପା) ପାଣ୍ଠି ହିସାବରେ ରଖାଯାଇଥାଏ । ଯାହାକୁ ପରବର୍ତ୍ତୀ ସମୟରେ ବନୀକରଣ, ପରିବେଶ ସୁରକ୍ଷା ଓ ସାମାଜିକ କଲ୍ୟାଣରେ ବିନିଯୋଗ କରାଯାଇଥାଏ। ହେଲେ ଓଡ଼ିଶାରେ ଏହି ପାଣ୍ଠି ଅନ୍ୟ କ୍ଷେତ୍ରରେ ବିନିଯୋଗ ହୋଇଛି । ଫଳରେ ସୁପ୍ରିମକୋର୍ଟ ଓଡ଼ିଶାର ପ୍ରତିନିଧିଙ୍କୁ କହିଥିଲେ ଯେ ସାମାଜିକ କାର୍ଯ୍ୟରେ ଓଡ଼ିଶାର ମୋଟ ଖର୍ଚ୍ଚ ୫% ବି ନୁହେଁ । ଲୋକଙ୍କ କଲ୍ୟାଣ ପାଇଁ ଆସିଥିବା କାମ୍ପା ପାଣ୍ଠିକୁ ସେହି କ୍ଷେତ୍ରରେ ବିନିଯୋଗ କରନ୍ତୁ; ସରକାରୀ କାର୍ଯ୍ୟ ପାଇଁ ନୁହେଁ । ରାସ୍ତା ନିର୍ମାଣ, ବସଷ୍ଟାଣ୍ଡ ମରାମତି ଆଦି ରାଜ୍ୟ ସରକାରଙ୍କ କାର୍ଯ୍ୟ। ବନୀକରଣ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଜମା ପାଣ୍ଠି ସରକାରୀ କାର୍ଯ୍ୟରେ ବିନିଯୋଗ ହୋଇପାରିବ ନାହିଁ । ଖଣ୍ଡପୀଠ କହିଥିଲେ ଯେ ଏହି ପାଣ୍ଠି ଲୋକଙ୍କ କଲ୍ୟାଣ ପାଇଁ, ସରକାରଙ୍କ ଫାଇଦା ପାଇଁ  ନୁହେଁ । ଏହି ଅର୍ଥକୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଇପାରିବ । ତେବେ କାମ୍ପା ପାଣ୍ଠି ବିନିଯୋଗ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ୩ ସପ୍ତାହ ସମୟ ଦିଆଯାଇଛି । ଏହାସହ ସୁପ୍ରିମକୋର୍ଟ ଆସନ୍ତା ଶୁଣାଣିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button