ରାଜ୍ୟ

କମିଲା ଖରିଫ୍ ଧାନ ସଂଗ୍ରହ

ଆଜିର ଓଡିଶା (ତା ୩|୪)  –  ଶେଷ ହେଲା ଧାନ ଅମଳ। ସଂଗ୍ରହ ବି ଶେଷ ପର୍ଯ୍ୟାୟରେ। ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍ ହେବ ବୋଲି ଆଶା କରାଯାଉଥିଲା,ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ୍ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜିଥିଲା। ତାପରେ ଚକଡା ପୋକ ଆଉ ଅଦାନିଆ ବର୍ଷା ଦାଉ ସାଧିଲା।

ଏସବୁ ପ୍ରାକୃତିକ ବିପର୍ଯ୍ୟୟର ଜବରଦସ୍ତ ଇଫେକ୍ଟ ପଡିଛି ଅମଳ ଉପରେ। ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୧ପ୍ରତିଶତ ଧାନ ସଂଗ୍ରହ କମିଥିବା ବେଳେ ବଲାଙ୍ଗିରରେ ୨୯ ଓ ନୂଆପଡାରେ ୨୭  ପ୍ରତିଶତ ଧାନ ସଂଗ୍ରହ କମିଛି। ମୋଟ୍ ଉପରେ ୧୪ଟି ଜିଲ୍ଲାରେ କମିଛି ଧାନ ସଂଗ୍ରହ। ଯାହାକି ଋଣ କରି ଚାଷ କରିଥିବା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି।
ଗତବର୍ଷ ଖରିଫ୍‌ରେ ମୋଟ୍ ୪୪ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏବର୍ଷ ବର୍ତ୍ତମାନ ସୁଦ୍ଧା ୩୭ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ପ୍ରାୟତଃ ସରିଥିବାରୁ ଏହି ପରିମାଣ ଆଉ ବିଶେଷ ବଢିବ ନାହିଁ। ସେପଟେ ଧାନ ବିକ୍ରି ପାଇଁ ୧୧ଲକ୍ଷ ଚାଷୀ ପଂଜୀକରଣ କରିଥିଲେ। ହେଲେ ମାତ୍ର ୬ଲକ୍ଷ ୭୩ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି।

ଚଳିତ ବର୍ଷ ଯେତିକି ଧାନ ସଂଗ୍ରହ ହୋଇଛି, ସେଇ ଅନୁସାରେ ପ୍ରାୟ ୨୯ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହେବ। ରାଜ୍ୟର ଚାଉଳ ଆବଶ୍ୟକତା ୨୦ରୁ ୨୨ ଲକ୍ଷ ମାଟ୍ରିକ୍ ଟନ୍ ଥିବାରୁ ବିଶେଷ ଅସୁବିଧା ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି, ହେଲେ ଅନ୍ୟ ରାଜ୍ୟକୁ ଚାଉଳ ଦେଇ ଯେତିକି ଅର୍ଥ ମିଳେ ଏଥର ତାହା ସମ୍ଭାବନା କମ୍।

ରାଜ୍ୟର ସମୁଦାୟ ୩୦୮ଟି ବ୍ଲକରେ ଧାନ ସଂଗ୍ରହ ହୋଇଥିବା ବେଳେ ଚାଷୀଙ୍କୁ ୫ ହଜାର ୭୪୯ କୋଟି ଟଙ୍କା ପ୍ରଦାନ କରଯାଇଛି। ସେପଟେ ଆସନ୍ତାକାଲିଠାରୁ ରବି ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button