ରାଜ୍ୟ

ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ,ଏଥରକ ଜମିବ ରଜ ଆସର

ଆଓରି -( ଭୁବନେଶ୍ଵର ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏହାପରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ନ ହେଲେ ଏଥରକ ରଜ ରାଜ୍ୟବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ମଉଜ ଆଣିଦେବ। ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଗାଏବ ହୋଇଗଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ମୌସୁମୀ ଦୁର୍ବଳ ହୋଇଯାଇଥିବାରୁ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ।

ପାଣିପାଗ ବିଜ୍ଞାନୀଙ୍କ ମତରେ ଆଜି ମଧ୍ୟାହ୍ନ ପରଠାରୁ ବର୍ଷା କମିଯିବ। ବର୍ଷା ଛାଡ଼ି ଯିବା ପରେ କିଛି ସ୍ଥାନରେ ଗୁଳୁଗୁଳି ରହିବ। ତେବେ ୧୫ ତାରିଖଠାରୁ ତାତି ସାମନ୍ୟ ବଢ଼ିବ। ଉପକୂଳବର୍ତୀ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ମୌସୁମୀ ସମୟରେ ଓଡ଼ିଶାରେ ମୁଖ୍ୟତଃ ତିନିପ୍ରକାର ବର୍ଷା ହୋଇଥାଏ। ରାଜସ୍ଥାନରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରପ୍ (ଘୂର୍ଣ୍ଣିବଳୟ) ସୃଷ୍ଟି ହେବା ଫଳରେ ଦକ୍ଷିଣରୁ ମୌସୁମୀ ବାୟୁକୁ ଓଡ଼ିଶାକୁ ଟାଣି ଆଣିଥାଏ। ଫଳରେ ବର୍ଷା ହୁଏ। ଦ୍ୱିତୀୟଟି ହେଉଛି ଲଘୁଚାପ ଜନିତ ବର୍ଷା, ଯାହାକି ବଙ୍ଗୋପସାଗର କିମ୍ବା ସ୍ଥଳ ଭାଗରେ ଲଘୁଚାପ ସୃଷ୍ଟି ହେବା ଦ୍ୱାରା ବର୍ଷା ହୋଇଥାଏ। ତୃତୀୟଟି ହେଲା ପରିଚଳନ ବର୍ଷା। ଯାହାକି ଦିନରେ ତାପମାତ୍ରା ଅଧିକ ରହିଲେ ଅପରାହ୍ଣରେ ହଠାତ୍ ବର୍ଷା ହୁଏ। ପ୍ରଥମ ଓ ଦ୍ୱିତୀୟ ବର୍ଷା ବିସ୍ତୃତ ଅଞ୍ଚଳରେ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସେମାନେ ଆହୁରି କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦକ୍ଷିଣା ପବନ ବୋହିନି। ପଶ୍ଚିମା ପବନ ଜାରି ରହିଛି। ଯେହେତୁ ରାଜସ୍ଥାନରେ ଗରମ ଅଛି ତେଣୁ ୧୪ ତାରିଖ ପରେ ଗରମ ଆହୁରି ବଢ଼ିବ। ଆସନ୍ତା ୨୦ ପର୍ୟ୍ୟନ୍ତ ପବନର ଦିଗ ପରିବର୍ତନ ସମ୍ଭାବନା ରହିଛି। ତେଣୁ ୨୦ ପୂର୍ବରୁ ମୌସୁମୀ ଜନିତ ବର୍ଷାର ସମ୍ଭାବନା କମ୍। ତେବେ ୨୧ ଓ ୨୨ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସୂଚନା ମିଳୁଛି। ଯଦି ତାହା ହୁଏ ତେବେ ରାଜ୍ୟରେ ବର୍ଷା ହୋଇପାରେ। କୃଷି ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତମାନ ଖାଲ ଜମିରେ ବୁଣାବୁଣି କରିପାରିବେ।

ମଧ୍ୟମ କିସମ ଜମିରେ ମାଟିର ବତୁର ଦେଖି ତଳି ପକାନ୍ତୁ। ଯଦି ଢ଼ିପ ଜମିରେ ଗତ ସପ୍ତାହକ ଭିତରେ ୧୦୦ ମି.ମି. ବର୍ଷା ହୋଇଥିବ, ତେବେ ବୁଣାବୁଣି ଆରମ୍ଭ କରନ୍ତୁ। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେଣୁ ଅଣଧାନ ଫସଲ ଲଗାନ୍ତୁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ହୀରାକୁଦରେ ସର୍ବାଧିକ ୬୮.୨ ମି.ମି. ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ରେ ୩୮.୫, ସମ୍ବଲପୁରରେ ୩୦.୪, ବାରିପଦାରେ ୨୯.୫, କଟକରେ ୧୭, ସୋନପୁରରେ ୯.୪ ମି.ମି. ବର୍ଷା ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button