ରାଜ୍ୟ

ଅବଧି ଶେଷହେବାର ୨ବର୍ଷ ବିତିଛି ; ବିଜୁ ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ

ଆଓରି-ଭୁବନେଶ୍ଵର(୧୩/୦୬) : ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି। ଦଶପଲ୍ଲା ବ୍ଲକରେ ନିର୍ମାଣ ହେଉଥିବା ଏକ ସେତୁକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ବିଜୁ ସେତୁ ନାମରେ ଏହି ପୋଲ ନିର୍ମାଣ ହେଉଥିବାବେଳେ ଅବଧି ସରିବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଶେଷ ହୋଇପାରି ନାହିଁ।

ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତର ଶିମିଳି ବେରଣା ଓ ଓଡ଼ଶର ମଧ୍ୟରେ ଖଳଖଳା ନାଳ ପ୍ରବାହିତ। ବର୍ଷାଦିନେ ବଢି ପାଣି ଆସିବା ଦ୍ୱାରା ପ୍ରାୟ ୫ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟାତରେ ହଇରାଣ ହୋଇଥାନ୍ତି। ସେ ସମୟରେ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ। ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଉକ୍ତ ନାଳ ଉପରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା। ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଉକ୍ତ ସେତୁ କାର୍ଯ୍ୟକାରୀ କରାଗଲା। ଏଥିନିମନ୍ତେ ଟେଣ୍ଡର ହୋଇଥିବାବେଳେ ବ୍ୟୟ ଅଟକଳ ୩୬୦.୧୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହାର ଦୈର୍ଘ୍ୟ ୬୧.୨୬ ମିଟର ଥିବାବେଳେ ସ୍ପାନ ୨୫୩୦.୬୩ମିଟର ରହିଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ୧୧ା୫ା୨୦୧୬ ମସିହାରୁ ଆରମ୍ଭ ହୋଇ ୧୦ା୮ା୧୭ ମଧ୍ୟରେ ଶେଷ ହେବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଅବଧି ଶେଷ ହେବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ପୋଲ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି।

ନିର୍ମାଣ ହୋଇଥିବା ପିଲାର ଭାଙ୍ଗିବାକୁ ବସିଥିବା ବେଳେ ଏହା ଚାରିପଟେ ଜଙ୍ଗଲ ସୃଷ୍ଟି ହେଲାଣି। ପିଲାରରେ ବ୍ୟବହୃତ ଲୁହାଛଡ଼ରେ ମଧ୍ୟ କଳଙ୍କି ଲାଗିଗଲାଣି। ଏପରିସ୍ଥଳେ ସେତୁ କାର୍ଯ୍ୟ ଶେଷହେବା ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ହୋଇପଡିଛନ୍ତି। ବର୍ଷା ଦିନ ଆସୁଥିବାରୁ ନାଳରେ ବଢିପାଣି ଆସିଲେ ସେମାନେ କିପରି ଅତିକ୍ରମ କରିବେ ତାକୁ ନେଇ ଚିନ୍ତିତ ଅଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ ସେ ସେତୁ ନିର୍ମାଣ କାର୍ଯ୍ୟ ଅଧା ହେବା ସହ ସମୟସୀମା ସରିଯାଇଥିବା ସ୍ବୀକାର କରିଥିଲେ। ଏହାକୁ ନବୀକରଣ କରାଯାଇ ପୁନଶ୍ଚ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button