ଶାହ-ଯୋଗୀ ଆରମ୍ଭ କରିବେ ବିଜେପିର ନିର୍ବାଚନୀ ପ୍ରଚାର
1 min read
ଆଓରି-ନୂଆଦିଲ୍ଲୀ(୨୪/୦୩) : ଆଜିଠାରୁ ବିଦ୍ଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି ବିଜେପି । ତେବେ ପ୍ରଥମେ ପ୍ରଚାର ଆରମ୍ଭ କରୁଛନ୍ତି ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଯୋଗୀ ଉତ୍ତର ପ୍ରଦେଶର ସାହାରାନପୁରରୁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ଯୋଗୀ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅମିତ ଶାହ ମଧ୍ୟ ଏକ ବିଶାଳ ସମାବେଶକୁ ସମ୍ବୋଧନ କରି ପ୍ରଚାର ଆରମ୍ଭ କରିବେ ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତୀୟ ଜନତା ପାର୍ଟି ନିଜର ସମସ୍ତ ପ୍ରାର୍ଥୀ ଘୋଷଣା କରିସାରିଛି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟ ହେବା ପରେ ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହୋଇପଡ଼ିଛି । ବିଜେପି ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ସବୁଠି ପଦ୍ମ ଫୁଟାଇବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ଆଗ୍ରାରେ ବର୍ତ୍ତମାନର ସାଂସଦ ରାମଶଙ୍କର କଠେରିଆଙ୍କ ଟିକେଟ କାଟି ଏଠାରେ ନୂତନ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି ।
ବିଜେପି ନିଜର ନିର୍ବାଚନ ଅଭିଯାନରେ ବିଜୟ ସଂକଳ୍ପ ସଭା ଆୟୋଜନ କରିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଆଗ୍ରାରେ ସମ୍ବୋଧିତ କରୁଥିବା ବେଳେ ମାର୍ଚ୍ଚ ୨୬ରେ ମୁରାଦାବାଦ ସଭାରେ ଯୋଗଦେବେ । ତାଙ୍କ ସହିତ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।
ସାହାରାନପୁର ପାଇଁ ଯୋଗୀ ଆଦିତ୍ୟନାଥ ଆଜି ନିର୍ବାଚନୀ ସଭାରେ ଯୋଗଦେବେ । ଏଠାରେ ସେ ସର୍ବପ୍ରଥମେ ସିଦ୍ଧପୀଠରେ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ ପରେ ବେହଟ ଅଂଚଳରେ ଜନସଭା କରିବେ । ଏହା ପରେ ହେଲିକପ୍ଟରରେ ମା’ ଶକୁମ୍ଭରୀ ଦେବୀ ମନ୍ଦିରରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବେ । ବେହଟ ଅଂଚଳର ନାଗଳ ଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୧ଟା ୨୦ରେ ବୃନ୍ଦାବନ ଯିବେ ।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଲଖନଉରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ସେ ପୂର୍ବାହ୍ନ ୧୧ଟା ୩୦ରେ ବିମାନବନ୍ଦର ପହଂଚିବେ । ସେଠାରୁ ସିଧା ପ୍ୟାଲେସ୍ ଭିଆଇପି ରୋଡରେ ପଂଜାବୀ ସାଂସ୍କୃତିକ ମିଳନରେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ରାଜନାଥ ସିଂହ ଦିଲକୁଶା କଲୋନି ଯିବେ । ସେଠାରେ ଏକ କଲେଜର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।