ମହିଳାଙ୍କ ସୁରକ୍ଷା ପାଇଁ ଗଜପତି ଜିଲ୍ଲା ପୋଲିସର ନିଆରା ପ୍ରୟାସ
1 min read
ଆଓରି-ଗଜପତି(୨୫/୦୬): ଜିଲ୍ଲାରେ ମହିଳା ଓ ନାବାଳିକାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦ ଢାଞ୍ଚାରେ କାର୍ଯ୍ୟକାରୀ ହେବ ସି(she) ଟିମ୍ । ଗଜପତି ଜିଲ୍ଲାର ମହିଳା ଓ ଝିଅମାନଙ୍କ ସୁରକ୍ଷା ପ୍ରତି ଅଧିକା ଯତ୍ନବାନ ହେବାକୁ ହାଇଦ୍ରାବାଦ ଭଳି ପୋଲିସର ସ୍ଵତନ୍ତ୍ର ସି ଟିମ ଗଠନ କରାଯିବ । ଏହା ଆସନ୍ତ ୨୮ ତାରିଖରୁ ପରୀକ୍ଷା ମୂଳକ ଭାବେ ରାଜ୍ୟର ପାଇଲଟ ପ୍ରକଳ୍ପ ରୂପେ ଜିଲ୍ଲାରେ ଶୁଭଆରମ୍ଭ କରାଯିବ । ସି ଟିମରେ ଜଣେ ମହିଳା ସବ୍ ଇନ୍ସପେକ୍ଟର ସହିତ ୪ ଜଣ ମହିଳା ଏବଂ ୩ ଜଣ ପୁରୁଷ ସୁରକ୍ଷା କର୍ମୀ ରହିବେ । ଏହି ଦଳରେ ଗୋଟିଏ ଭ୍ରାମ୍ୟମାନ ଗୋଷ୍ଠୀ ଗଜପତି ଜିଲ୍ଲାର ଝିଅ ଓ ମହିଳା ମାନଙ୍କର ନିରାପତ୍ତା ଓ ସୁରକ୍ଷା ଉପରେ କାମ କରିବେ । ଏହି ଟିମ୍ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଯେଉଁଠି ମହିଳା ମାନେ ରହିଥିବେ, ସେହି ସ୍ଥାନ ଗୁଡିକରେ ଦୃଷ୍ଟି ଦେବେ । ମହିଳା ଓ ଝିଅ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ବ୍ୟହାର, ହଇରାଣ ଭଳି ଦୁକର୍ମକୁ ନିୟନ୍ତ୍ରଣ କରି ଦୁର୍ବୁତ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି କୌଣସି ଝିଅ କିମ୍ବା ମହିଳା ବିପଦରେ ସମ୍ମୁଖିନ ହେଲେ ଫୋନ କରିବା ମାତ୍ରେ ସି ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବ୍ୟବସ୍ଥା କରାଯିବ । ଶୀଘ୍ର ଟିମର ମୁଖ୍ୟଙ୍କ ଫୋନ ନମ୍ବର ଗୁଡିକ ସର୍ବ ସାଧାରଣଙ୍କୁ ଜଣାଇଦିଆଯିବ । ଏହା ବ୍ୟତୀତ ଏହି ଦଳ ଶିଶୁ ସୁରକ୍ଷା ପାଇଁ ମଧ୍ୟ କାମ କରିବ । ଶିଶୁ ଯତ୍ନ ଅନୁଷ୍ଠାନ, ରେଳଷ୍ଟେସନ ଗୁଡିକରେ ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟତନା ଓ ପାଶବିକ ଅତ୍ୟାଚାରକୁ ମଧ୍ୟ ରୋକାଯାଇ ପ୍ରତିରୋଧ କରାଯିବ ।
ହିଂସାରେ ଶିକାର ହେଉଥିବା ପିଡିତାକୁ ଉଦ୍ଧାର ଓ ଥଇଥାନ କରିବା ସି ଟିମର ଲକ୍ଷ୍ୟ ହେବ । ଏପରି ବ୍ୟବସ୍ଥା ଦେଶରେ ତେଲେଙ୍ଗାନା ରାଜ୍ୟରେ କିଛି ବର୍ଷ ହେଲା ଆରମ୍ଭ ହୋଇ ସଫଳତା ହାସଲ କରିଥିବା ବେଳେ ଓଡିଶାରୁ ପ୍ରଥମେ ଗଜପତି ଜିଲ୍ଲାରେ ୨୮ ତାରିଖରୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ଏକ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ସଚେତନ କରାଯିବ । ପ୍ରଥମ ଦିନର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମଡେଲ ଥାନା ପରିସରରେ ଏସ୍ପି ସାରା ଶର୍ମା ଏହାର ଲୋଗୋ ଉନ୍ମୋଚନ କରିବା ଅବସରରେ କହିଛନ୍ତି ପ୍ରଥମେ ପାରଳାଖେମୁଣ୍ଡି ଥାନାରେ କାର୍ଯ୍ୟକାରୀ ପରେ ଜିଲ୍ଲାର ଅନ୍ୟ ଥାନା ମାନଙ୍କରେ କାର୍ଯ୍ୟକାରୀ କରାଯିବ ।