March 24, 2023

‘ଧ୍ରୁବ’ର ଉଦଯାପନୀ ଉତ୍ସବରେ ଯୋଗ ଦେଇ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କଲେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ

1 min read
M-Venkeya-Naidu-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୦) : ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କହିଛନ୍ତି, ଦେଶ ପାଇଁ ଏକ ବୈଜ୍ଞାନିକ ପୁନଃଜାଗରଣ ଏବଂ ସାଂସ୍କୃତିକ ପୁନରୁଦ୍ଧାରର ଆବଶ୍ୟକତା ରହିଛି। କୌଣସି ସଭ୍ୟତାର ବିକାଶ କରିବାକୁ ହେଲେ ବିଜ୍ଞାନ ଏବଂ ସଂସ୍କୃତି ଉଭୟର ଆବଶ୍ୟକତା ରହିଛି। ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ କୌଶଳ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଚାଲିଥିବା ପ୍ରଧାନମନ୍ତ୍ରୀ ନବ ଉନ୍ମେଷ ଶିକ୍ଷଣ କାର୍ଯ୍ୟକ୍ରମ ‘ଧ୍ରୁବ’ର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏହି ଅବସରରେ ନାଇଡୁ କହିଛନ୍ତି, ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ମୌଳିକ ଓ ସାଂସ୍କୃତିକ ଜ୍ଞାନର ବିକାଶ ପାଇଁ ଦେଶରେ ଅଧିକରୁ ଅଧିକ ବିଜ୍ଞାନ ସଂଗ୍ରହାଳୟ, ବିଜ୍ଞାନ ପ୍ରୟୋଗଶାଳା, ନୃତ୍ତ୍ୟ ସଂଗୀତଭିତ୍ତିକ ସ୍ଥାୟୀ ମଞ୍ଚ ସ୍ଥାପନର ଆବଶ୍ୟକତା ରହିଛି।

ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି ଯେ ରଙ୍ଗମଞ୍ଚ ଓ କଳା ସମ୍ପର୍କିତ ପାଠ୍ୟକ୍ରମ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବା ଆବଶ୍ୟକ ଏବଂ ଏ ପ୍ରସଙ୍ଗରେ ମନ୍ତ୍ରାଳୟ ଭବିଷ୍ୟତରେ ନିଷ୍ପତ୍ତି ନେବ। ସେ କହିଛନ୍ତି, ଶିକ୍ଷା ସମ୍ପୂର୍ଣ୍ଣ ହେବା ଉଚିତ ଯାହା ଛାତ୍ରଛାତ୍ରୀମାନଙ୍କୁ ବ୍ୟାପକତା ଆଡକୁ ଅଗ୍ରସର କରାଇବାରେ ପ୍ରେରଣା ଯୋଗାଇ ପାରିବ। କାର୍ଯ୍ୟକ୍ରମ ‘ଧ୍ରୁବ’ରେ ସାମିଲ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ଜଣ ବିଜ୍ଞାନରେ ଓ ୩୦ ଜଣ କଳାରେ ଅତ୍ୟନ୍ତ ନିପୁଣ ଓ ଭବିଷ୍ୟତରେ ରାଷ୍ଟ୍ର ଗଠନ ଦିଗରେ ସେମାନେ ସହାୟକ ହୋଇପାରିବେ ବୋଲି ନାଇଡୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଦୁଇ ଜଣ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡ଼ିଏଭି ପବ୍ଲିକ ସ୍କୁଲର ଛାତ୍ର ଜ୍ୟୋତିରାଦିତ୍ୟ ମିଶ୍ର ଓ ଭୁବନେଶ୍ୱର ମଦର ପବ୍ଲିକ ସ୍କୁଲର ଛାତ୍ରୀ ସ୍ମରଣିକା ହୋତା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.