ଦୁର୍ଗମ ମହିଷା ଓ ବ୍ରହ୍ମପୁରା ଅଞ୍ଚଳକୁ ନଦୀ ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୮/୦୫) : ଫୋନିର ତାଣ୍ଡବକୁ ବିତିଗଲାଣି ୬ ଦିନ । ଏଯାଏଁ ସ୍ୱାଭାବିକ ହୋଇନି ବିଦ୍ୟୁତ ସେବା । ଲୋକଙ୍କ ପାଖରେ ପହଁଚିନାହିଁ ରିଲିଫ୍ । ଲୋକେ ଅତିଷ୍ଠ । ଏହା ହେଉଛି ଫୋନିରେ ସବୁଠାରୁ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର କଥା ।

ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ସାଜିଛି ନିଦାବିଷ୍ଣୁ । ଏପରି ସ୍ଥିତିରେ ଦୁର୍ଗମ ମହିଷା ଓ ବ୍ରହ୍ମପୁରା ଅଞ୍ଚଳକୁ ନଦୀ ପାର୍ ହୋଇ ବାଇକ୍ ଯୋଗେ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପଚାରି ବୁଝିଥିଲେ ବାତ୍ୟା ବିପନ୍ନଙ୍କ ଦୁଃଖକଷ୍ଟ । ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ । ଗରିବ ମତ୍ସ୍ୟଜୀବିଙ୍କ ରହିବା ସ୍ଥାନ । ସ୍ୱାଧୀନତାର ୭୦ ବର୍ଷ ପରେ ବି ବିକାଶ ସେମାନଙ୍କ ପାଇଁ ଅପହଞ୍ଚ । ଆଉ ଏପରି ସ୍ଥିତିରେ ସେମାନଙ୍କ ପାଇଁ ଦାଉ ସାଜିଛି ବାତ୍ୟା ଫୋନି । ଫୋନିର ତାଣ୍ଡବରେ ଛାରଖାର ହୋଇପଡିଛି ଏହି ଦୁଇ ଅଞ୍ଚଳ । ବିଶେଷ କରି ବ୍ରହ୍ମପୁରା ଓ ମହିଷା ଅଞ୍ଚଳ ବାସୀଙ୍କ ଦୁଃଖ କହିଲେ ନ ସରେ ।

ବାତ୍ୟାରେ ଭାଙ୍ଗିଯାଇଛି ଘର ଆଉ ଖୋଲା ଆକାଶ ତଳେ ଅନ୍ଧକାର ମଧ୍ୟରେ ରହିଛନ୍ତି ଶହଶହ ପରିବାର । ବାତ୍ୟାର ୬ ଦିନ ପରେ ବି ସେମାନଙ୍କ ପାଖରେ ପହଁଚିପାରିନାହିଁ ରିଲିଫ୍ । ସେପଟେ ଏହି ଦୁର୍ଗମ ଅଞ୍ଚଳକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାସ୍ତା ନଥିବା ଏହି ଅଞ୍ଚଳକୁ ଡଙ୍ଗାରେ ପାର୍ ହେବା ସହ ମୋଟରସାଇକେଲ ଯୋଗେ ଯାଇ ପହଁଚିଥିଲେ ବାତ୍ୟା ବିଧ୍ୱସ୍ତ ଲୋକମାନଙ୍କ ନିକଟରେ …..ଆଉ ପଚାରି ବୁଝିଥିଲେ ସେମାନଙ୍କର ସୁଖଦୁଃଖ…ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ପାଇଁ ପ୍ରାକୃତିକ ଦୁର୍ବିପାକ ଚିର ସହଚର । ସେ ଫାଇଲିନ୍ ହେଉ ଅବା ଫୋନି ସବୁବେଳେ କ୍ଷତିଗ୍ରସ୍ତ ହୋଇଥାଏ ଏହି ଅଞ୍ଚଳ….ହେଲେ ଏହି ଅଞ୍ଚଳର ଲୋକମାନେ ସବୁବେଳେ ସମସ୍ୟା ମଧ୍ୟରେ ରହିଥିବା ବେଳେ ନା ଦେଖା ମିଳେ ପ୍ରଶାସନିକ ଅଧିକାରୀଙ୍କର ନା ସ୍ଥାନୀୟ ଲୋକପ୍ରତିନିଧିଙ୍କର । ହେଲେ ଫୋନିର ତାଣ୍ଡବ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଦୁଇ ଅଞ୍ଚଳ ବୁଲିବା ବେଳେ ସାଧାରଣ ଜନତା ଶୁଣାଇଥିଲେ ତାଙ୍କର ମନର କଥା ।
ଅନ୍ୟପଟେ ପୁରୀ ଜିଲ୍ଲାରେ ଦେଖାଦେଇଥିବା ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ । କେବଳ ବ୍ରହ୍ମଗିରି କିମ୍ବା କୃଷ୍ଣପ୍ରସାଦ ନୁହେଁ….ପୁରୀ ଜିଲ୍ଲା ସମେତ ଅନ୍ୟାନ୍ୟ ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ସ୍ଥିତି ଉପରେ ଅବଗତ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ଧର୍ମେନ୍ଦ୍ର । ଓଡିଶାରେ ବାତ୍ୟା ବିପନ୍ନ ମାନଙ୍କୁ ସହାୟତା ପାଇଁ ସମସ୍ତ ମନ୍ତ୍ରଣାଳୟ ସହ କଥା ହୋଇ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫୋନି ବାତ୍ୟାରେ ବିଧ୍ୱସ୍ତ ପୁରୀ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ଘରଭଙ୍ଗା, ଫସଲନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ ପୂର୍ବ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକରେ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ତିଆରି ହୋଇଥିବା ବାତ୍ୟାରେ ପ୍ରଭାବିତ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲାର ପୁରୀ ସହରର ବିଭିନ୍ନ ତଳିଆ ଅଞ୍ଚଳ, ନିମାପଡା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅନେକ ଅଞ୍ଚଳ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପରେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇଛନ୍ତି ।