ପୋଲିସ୍ ନୋଟିସ୍ କରାଯାଇଥିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୨/୦୨) : ବହୁ ଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ହତ୍ୟା ମାମଲା ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ କଥିତ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୋଲିସ୍ ନୋଟିସ୍ କରାଯାଇଥିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେହିମଧ୍ୟ ଆଇନରୁ ଉର୍ଦ୍ଧ୍ୱରେ ନୁହନ୍ତି । ଯଦି ସରକାରଙ୍କ ପାଖରେ ତଥ୍ୟ ପ୍ରମାଣ ରହିଛି ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଅନ୍ତୁ । ବିଜେପି ମଧ୍ୟ ଏହାକୁ ସ୍ୱାଗତ କରିବ । ରାଜ୍ୟ ସରକାର ଯେଉଁ କୃଷ୍ଣ ନାୟକଙ୍କ କଥା କହୁଛନ୍ତି ସେ ଜଣେ ରାଜନୈତିକ ବ୍ୟକ୍ତି । ସେ ଗତ ବିଧାନସଭାରେ ନିର୍ବାଚନ ଲଢିଥିଲେ । ଇତି ମଧ୍ୟରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ରାଜ୍ୟ ସରକାର ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କିଛିମାସ ତଳେ ମୁଖ୍ୟମନ୍ତ୍ରୀ କୁଖ୍ୟାତ ଅପରାଧୀ ଟିଟୋର ଭାଇ ସପୋ ସହ ଫଟୋ ଉଠାଇଥିଲେ । କିନ୍ତୁ ତାଙ୍କୁ ପୋଲିସ ତାଙ୍କୁ ଜେରା କରିନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଣ୍ଡିତଙ୍କ ପୁଅ, ସେ ମାଙ୍କଡ ମାରିଲେ ମଧ୍ୟ ଦୋଷ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
୨୦ ଲକ୍ଷ ସାଧାରଣ ଜନତାଙ୍କ ଟଙ୍କା ଚିଟଫଣ୍ଡରେ ଲୁଟ ହୋଇଥିବା କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟ ସରକାର ଏସଆଇଟି, କମିଶନ ବସାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିବା ସେ କହିଛନ୍ତି । ପରବର୍ତ୍ତୀ ସମୟରେ ଏନେଇ ପିଆଇଏଲ ହୋଇଥିଲା। ଫଳରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇ ପାଖକୁ ଆସିଥିଲା।
ତେବେ ଏଥିରେ ସରୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଥିଲା । ଯାହାଙ୍କୁ ସିବିଆଇ ଜେରା ମଧ୍ୟ କରିଥିଲା । କିନ୍ତୁ ବିଜୁ ଜନତା ଦଳର ନେତା କିମ୍ବା ମୁଖ୍ୟମନ୍ତ୍ରୀ ସରୋଜ ସାହୁଙ୍କୁ ନେଇ ମୁହଁ ଖୋଲୁନାହାନ୍ତି । ସାଧାରଣ ଜନତାଙ୍କ ଚିଟଫଣ୍ଡ ଅର୍ଥ ଲୁଟ କରି କେହି ଖସି ପାରିବେ ନାହିଁ । ସିବିଆଇ ଏନେଇ ପ୍ରଶ୍ନ କଲେ ଏହା ବିଜେଡିର ନେତାମାନେ ରାଜନୈତିକ ଆକ୍ରୋଶ ବୋଲି କହୁଛନ୍ତି । ଏଥିରୁ ଚୋର ମୁହଁ ଟାଣ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି କହି ଶ୍ରୀ ପ୍ରଧାନ ତାଙ୍କର ମନ୍ତବ୍ୟ ପ୍ରକାଶ କରିଛନ୍ତି।