ତାଳଚେରରେ କୋଇଲା ବାଷ୍ପୀକରଣ ୟୁନିଟ ପ୍ରତିଷ୍ଠା ଚୁକ୍ତି ସ୍ୱାକ୍ଷର କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୮/୦୯) : ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବ। ଏ ନେଇ ଦିଲ୍ଲୀରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଫଳରେ ଆଗାମୀ ଦିନରେ କୃଷକଙ୍କ ୟୁରିଆ ଏବଂ ଆମୋନିଆ ଆବଶ୍ୟକତା ପୁରଣ ହୋଇପାରିବ। ଏଥିପାଇଁ ୧୩,୨୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜିଏଆଇଏଲ, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗୀତାରେ ଏହି କାରଖାନା ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍ ୟୁରିଆ ଓ ୦.୭୩ ମିଲିୟନ ମେଟ୍ରିକ ଟନ ଆମୋନିଆ ଉତ୍ପାଦିତ ହେବ। ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ ଏହି ପ୍ଲାଣ୍ଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ସହାୟତା ଯୋଗାଇ ଦିଆଯିବ।
ଚୁକ୍ତି ସ୍ୱାକ୍ଷର ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ ଯାହାକି ଭାରତର ବିକାଶ ଯାତ୍ରାରେ ଏକ ନୂତନ କିର୍ତୀମାନ ହେବ। ଅଙ୍ଗାରକ ପରିମାଣ ହ୍ରାସ କରିବା ପାଇଁ ଭାରତ ସିଓପି୨୧ ନିକଟରେ ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ। ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ପୂର୍ବାଂଚଳ ଗ୍ୟାସ ଗ୍ରୀଡ ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଖୁବଶୀଘ୍ର ସିନ୍ଦରିକୁ ଅନ୍ତର୍ଭୁକ୍ତ କରାଯିବ।
ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା କହିଛନ୍ତି ଯେ ଦେଶରେ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଚାହିଦା ମେଂଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି। ଘରୋଇ ଭାବେ ୟୁରିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା କରୁଛି। ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି। ଏଥି ମଧ୍ୟରେ ଏଲଏନଜି। ଏଲଏନଜିର ଉତ୍ପାଦନ ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଭାରତକୁ ଅନେକ ମୂଲ୍ୟବାନ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡିଥାଏ। ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଂଚାମାଲର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ସେ କହିଛନ୍ତି ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ଯେଉଁଠିି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଂଚାମାଲ ଭାବେ ବ୍ୟବହାର କରାଯିବ।