March 28, 2023

ପେଟ୍ରୋଲ ପମ୍ପ ପାଇଁ ଏଲଓଆଇର ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ନୂଆଦିଲ୍ଲୀ(୨୨/୦୨) : ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ପେଟ୍ରୋଲ ପମ୍ପ ପାଇଁ ଏଲଓଆଇର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଲାଭାର୍ଥୀଙ୍କୁ ଏଲ୍‌ଓଆଇ ପ୍ରଦାନ କରିଛନ୍ତି । ଦେଶରେ ୧୨ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯାଇ ପ୍ରଥମ ୨୫୦୦ ଲଭାର୍ଥୀଙ୍କୁ ଏଲ୍‌ଓଆଇ ପ୍ରଦାନ କରାଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପୂର୍ବରୁ ବଡ ବଡ ଲୋକ, ମନ୍ତ୍ରୀ, ବିଧାୟକ, ଅଧିକାରୀ ଏବଂ ସାଂସଦଙ୍କ ଚିହ୍ନା ପରିଚୟ ଲୋକଙ୍କୁ ଏଲଓଆଇ (ଲେଟର ଅଫ୍ ଇନ୍‌ଟେଣ୍ଟ) ଦିଆଯାଉଥିଲା । ମାତ୍ର ଆଜି ଦଳିତ ବର୍ଗ ଓ ଦିବ୍ୟାଙ୍ଗ ପିଲା ମଧ୍ୟ ଏଲଓଆଇ ପାଇପାରୁଛନ୍ତି । ପେଟ୍ରୋଲ ପମ୍ପ ଖୋଲିବା ସହ ସେମାନେ ମଧ୍ୟ କୋଟିପତି ହୋଇ ମାଲିକ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୭୫ ହଜାର ନୂଆ ପେଟ୍ରୋଲ ପମ୍ପ ପାଇଁ ବିଜ୍ଞାପନ ହୋଇଛି । ଏଥିପାଇଁ ୪ ଲକ୍ଷରୁ ଅଧିକ ଆପ୍ଲିକେସନ ଆସିଛି । ଗତ ଜାନୁଆରୀ ୨୫ ତାରିଖରୁ ଦେଶର ବିଭିନ୍ନ ଜିଲ୍ଲାରେ ଏନ୍ଆଇସି ସେଂଟରରେ ଏହାର ବିଡିଂ, ଲଟ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସରକାର ସ୍ୱଚ୍ଛ ଭାବେ ଚାଲିବା ଦରକାର । ଗୋଟିଏ ପେଟ୍ରୋଲ ପମ୍ପ ଖୋଲାଯିବା ମାତ୍ରେ ଅନ୍ୟକୁ ରୋଜଗାର ଦିଆଯାଇପାରୁଛି । ବଜାର ଏବଂ ଅନ୍ୟାନ୍ୟ ଆବଶ୍ୟକତାକୁ ଦେଖି ଏହି ସରକାର ଏ କ୍ଷେତ୍ରରେ କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କଲେ ସେମାନେ ଆଜି ମୋଦି ସରକାରଙ୍କୁ ରୋଜଗାର ଉପରେ ପଚାରୁଛନ୍ତି । ପେଟ୍ରୋଲିୟମ ବିଭାଗରେ ଯୁବକ ଯୁବତୀଙ୍କୁ ରୋଜଗାର ଦେବାର ବ୍ୟବସ୍ଥା ହୋଇଛି । ଆଇଓସି ଦେଶର ସବୁଠୁ ଦୁର୍ଗମ ସ୍ଥାନରେ ପେଟ୍ରୋଲ ପହଁଚାଉଛି । ଇଣ୍ଡିଆନ୍ ଅଏଲ୍ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ଦେଶରେ କୋଣ ଅନୁକୋଣରେ ଇନ୍ଧନ ପହଁଚାଇ କୀର୍ତି ସ୍ଥାପନ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.