ଓଡିଶାର ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୨୮/୦୨) : ୨ ହଜାର ୬୭ କୋଟି ଟଙ୍କା ବ୍ୟୟବରାଦରେ ୧୧୯.୫ କିମି ଦୀର୍ଘ ଓଡିଶାର ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀର ଖଣ୍ଡଗିରି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାରେ ଏନ୍ଏଚ୍ ୫ର ଅନେକ ପ୍ରକଳ୍ପର ଭୂମିପୂଜା ଓ କାମ ଆରମ୍ଭ ହୋଇଛି । ଭୁବନେଶ୍ୱର, ଶିଖରପୁର, ବଡଚଣା ଓ ସୋର ୪ଟି ଜାଗାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ତତ୍ପର ଥିବା ବେଳେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାର ବିକାଶର କାମକୁ ତ୍ୱରାନ୍ୱିତ କରିବା, ଓଡିଶାର ଅର୍ଥନୀତିର ଅଭିବୃଦ୍ଧି, ରାଜ୍ୟରେ ରାଜସ୍ୱ ଓ ରୋଜଗାର ବଢାଇବା ପାଇଁ ୫୫ ହଜାର କୋଟି ଟଙ୍କା ବ୍ୟୟରେ ୪୫୦୦ ରୁ ୫୦୦୦ କିମି ପର୍ଯ୍ୟନ୍ତ ନୂଆ ଜାତୀୟ ରାଜପଥ କୋଷ୍ଟାଲ ହାଇୱେ ଏବଂ ଅନେକ ଆଭ୍ୟନ୍ତରୀଣ ରାସ୍ତାକୁ ଜାତୀୟ ରାଜପଥରେ ପରିଣତ କରିବାର ଯୋଜନା କରୁଛନ୍ତି । ମାତ୍ର ରାଜ୍ୟ ସରକାର ଏଥିରେ ଅସହଯୋଗ କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ସୂବର୍ଣ୍ଣ ଚତୁର୍ଭୁଜ ଯୋଜନା ଅନ୍ତର୍ଗତରେ ଏ ଅଂଚଳ ରାସ୍ତାର ନବକଳେବର ହୋଇଥିଲା ।
ଏହା ପରେ ଦେଶର ପ୍ରଧାନମମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଅଟଳଙ୍କ ୪ ଲେନ ରାସ୍ତାକୁ ୬ ଲେନ୍ରେ ପରିଣତ କରିବାକୁ ଯାଉଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଓଡିଶାର ବିକାଶ ପ୍ରକଳ୍ପରେ ସରକାରଙ୍କ ଅଧିକାରୀଙ୍କୁ ରାଜନୀତି ନକରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି, ତାହା କରନ୍ତି । ଏ ସରକାର ଦେଶର ସୁରକ୍ଷା ହେଉ କିମ୍ବା ଢାଞ୍ଚା ବନେଇବା କିମ୍ବା ଅର୍ଥନୀତିର ବିକାଶ ଏ ସରକାର ଯାହା କହେ ତାହାକୁ ସମ୍ଭବ କରି ଦେଖାଏ ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।
ଏହାସହ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ଓଡିଶାର ଏନଏଚ-୫ ସମସ୍ତଙ୍କ ଜୀବନରେଖା ସଦୃଶ । ଓଡିଶାରେ ବାଲେଶ୍ୱର ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳର ମୂଳ ସଂଯୋଗର ରାସ୍ତା ଦଶନ୍ଧିଦଶନ୍ଧି ଧରି ରହିଛି । ପାଖାପାଖି ୨୦୦୦ରୁ ଅଧିକ ଟଙ୍କା ବ୍ୟୟ କରି ଏହି ପ୍ରକଳ୍ପର କାର୍ଯ୍ୟକ୍ରମ ଆରମ୍ଭ ହେବ । ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାସ୍ତା ଗୋଟିଏ ଭୁବନେଶ୍ୱର ପାଖରେ ଏବଂ ଆଉ ଗୋଟିଏ ଦୁଇଟି ଭଦ୍ରକ ଓ ବାଲେଶ୍ୱର ୬ ଟି ରାସ୍ତା ସହ ଯୋଡିହେବ । ଓଡିଶା ଓ ଜାତୀୟ ଅର୍ଥନୀତିକୁ ଏହି ରାସ୍ତା ସୁଦୃଢ କରିବାରେ ଯୋଗଦାନ କରିବା ସହ ସହର ଗମନାଗମନର ସୁବିଧା ବଢିବ, ସ୍ଥାନୀୟ ଅଂଚଳର ଲୋକଙ୍କୁ କାମ କରିବାର ସୁଯୋଗ ମିଳିପାରିବ । ଏହାବ୍ୟତିତ ସ୍ଥାନୀୟ ଅଂଚଳର ଯଥା ବାଲିକୁଦା, ଶିଖରପୁର ଏବଂ ବଡଚଣା ଲୋକଙ୍କର ଥିବା ତିନୋଟି ଏନଏଚ୍ ତଳେ ଯେଉଁ ଅଣ୍ଡରପାସ୍ ହେବାର ଦାବି ଥିଲା ତାହା ପୂରଣ ହୋଇଛି ।
ଏହାସହ ଓଡିଶାର ଉନ୍ନତି ପାଇଁ ସହଯୋଗ ଓ ଦାୟିତ୍ୱ ନିର୍ବାହ କରିବାକୁ କିଛି ଦିନ ପୂର୍ବରୁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୋଧ କରିବା ପରେ କିନ୍ତୁ ସେମାନେ ଓଲଟା ଗାଳିମନ୍ଦ କରୁଛନ୍ତି । ଭୁବନେଶ୍ୱରରେ ଏନ୍ଏଚ୍ ହେବା କାରଣରୁ ପାଣି ଜମୁଛି ବୋଲି ରାଜ୍ୟ ସରକାର କହୁଥିବା ବେଳେ ଭୁବନେଶ୍ୱରରେ ବର୍ଷା ହେଲେ ସଚିବାଳୟ ଓ ବିଧାନସଭା ଅଂଚଳରେ ଜଳମଗ୍ନ ହେଉଛି । ଏହା କଣ ଏନ୍ଏଚ୍ର ପାଖାପାଖି ଅଂଚଳ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନଏଚ୍ ନହେବା କାରଣରୁ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭଦ୍ରକ-ବାଲେଶ୍ୱର ରାସ୍ତା ମଧ୍ୟରେ ୬୨ କିମି ରାସ୍ତା ପରେ ୨/୫ଟି ବଡ ବ୍ରିଜ୍, ୨ଟି ସାନ ବ୍ରିଜ, ୬ଟି ଭେଇକିଲ୍ ଅଣ୍ଡରପାସ୍, ଦୁଇଟି ଟ୍ରେନ୍ ଓଭରବ୍ରିଜ୍, ୭୨ କିମି ସର୍ଭିସ ଲେନ୍ ହେବ । ସେହିଭଳି ଟାଙ୍ଗୀ ଭୁବନେଶ୍ୱର ମଧ୍ୟରେ ୪ଟି ଫ୍ଲାଏ ଓଭର ବ୍ରିଜ୍, ୮ଟି ସର୍ଭିସ ରୋଡ୍, ୮ଟା ମାଇନର ବ୍ରିଜ୍, ୧୦ ଟି ଭେଇକିଲ୍ ଅଣ୍ଡରପାସ ଏବଂ ସର୍ଭିସ ରୋଡ୍ ୪୭ କିମି ବନିବ, ୧୫ଟି ବସ ପାର୍କିଙ୍ଗର ମଧ୍ୟ ସୁବିଧା କରାଯିବ । ରାଜ୍ୟ ସରକାରଙ୍କ ଭୁଲ ଟାଉନ ପ୍ଲାନିଂ ଯୋଗୁ ରାଜଧାନୀରେ ନାଗରିକଙ୍କ ସୁବିଧାରେ ଅବ୍ୟବସ୍ଥା ଦେଖାଯାଇଛି । ସରକାର ଏ କଥାକୁ ଲୁଚେଇବା ପାଇଁ ଏନ୍ଏଚ୍କୁ ଦୋଷ ଦେବା ସହ ଗାଳି ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ସରକାରଙ୍କୁ ଅନୁରୋଧ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାରେ ବେଶି ଜାତୀୟ ରାଜପଥ ନିର୍ମାଣ ହେବା ସମସ୍ତଙ୍କ ଅପେକ୍ଷା । ଫଳରେ ରାଜ୍ୟ ରାଜକୋଷରେ ବ୍ୟୟବରାଦର ଭାର ବଢିବ ନାହିଁ । ଦିଲ୍ଲୀ ସରକାରରୁ ପଇସା ଆସି ଲୋକଙ୍କ ବିକାଶମୂଳକ କାର୍ଯ୍ୟରେ ଲଗାଇବାର ଆବଶ୍ୟକ ରହିଛି ।
ଏଠାକାର ସରକାରଙ୍କ ଗୋଟିଏ ବିଚିତ୍ର ଗୁଣ ଅଛି ଯେ ସେ, ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ପିଏମ୍ କିଷାନ ଯୋଜନା, ଶୌଚାଳୟ, ରେଳ ଲାଇନ, ରାସ୍ତା କାମରେ ଅସହଯୋଗ କରୁଛନ୍ତି । ଓଡିଶାରେ ପଇସା ନଆସୁ ପଛେ ନରେନ୍ଦ୍ର ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଭରସା ନବଢୁ ଏ ମନ ଭିତରେ ରାଜ୍ୟ ସରକାରଙ୍କ କୁଣ୍ଠା ଅଛି । ନାଗରିକ ମାନେ ହଇରାଣ ଓ ଅତ୍ୟାଚାରିତ ହୁଅନ୍ତୁ କିନ୍ତୁ ଆମ ରାଜନୀତି ଚାଲୁ ବୋଲି ରାଜ୍ୟ ଶାସନରେ ରହିଥିବା ଦଳ ଚାହୁଁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।