December 7, 2023

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନୀ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୫/୦୨) : ଗତକାଲି ଜଲେଶପଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ ଆଦିବାସୀ ଗରିବଙ୍କ ପାଇଁ ସମର୍ପିତ ଥିଲା । ସମସ୍ତେ ସ୍ୱାମିଜୀଙ୍କର ଆଶୀର୍ବାଦର ଭିକ୍ଷାର୍ଥୀ ଥିଲେ । ସ୍ୱାମୀଜୀଙ୍କର ମାର୍ଗଦର୍ଶନ ସମସ୍ତଙ୍କୁ ମିଳୁଥିଲା ।  ଏ ଜିଲ୍ଲାର ବିକାଶ ପାଇଁ ଗୋଟେ ମଞ୍ଜି ପୋତାଯାଇଥିଲା ଏବଂ ବିକାଶର ମୂଳ ସର୍ତ୍ତ ଥିଲା ମଣିଷ ଠିକ୍ ହେଲେ ସମାଜ ଠିକ୍ ହେବ । ସ୍ୱାମୀଜୀ ଏହି ମୂଳ ମଞ୍ଜି କଥାକୁ ବୁଝିଥିଲେ । ପୁରୁଷଙ୍କ ଅପେକ୍ଷା ନାରୀକୁ ଅଧିକ ଗୁରୁତ୍ୱ ଦିଆଯାଉ ଏ ଦୃଢ କଥାକୁ ବହୁ ବର୍ଷ ପୂର୍ବରୁ ବୁଝିଥିବା କାରଣରୁ ଜଳେଶପଟା କନ୍ୟାଶ୍ରମ ତିଆରି ହୋଇପାରିଥିଲା ।

ସ୍ୱାମୀଜୀଙ୍କ ସଂସ୍କାର ଓ ବଳିଦାନକୁ ତଳେ ପକାଇ ଦେବା ନାହିଁ  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ କନ୍ଧମାଳ ଜିଲ୍ଲାରେ ଶିକ୍ଷା, ଚାଷ, ସ୍ୱାବଲମ୍ବନ, ସ୍ୱାଭିମାନ, ସଂସ୍କୃତି, ସବୁ ପ୍ରସଙ୍ଗ ସ୍ୱାମୀଜୀଙ୍କର ଅନ୍ତରର ପ୍ରିୟ ବିଷୟ ଥିଲା । ଆଦିବାସୀ ସ୍ୱାବଲମ୍ବୀ ହେବା ସହ ସଂସ୍କୃତରେ ପାଠ ପଢୁ, ଏ ପ୍ରକାର ଅନେକ ସଂସ୍କାର ପାଇଁ ସେ ତାଙ୍କ ଜୀବନକୁ ନିୟୋଜନ କରିଥିଲେ । ଅରାଷ୍ଟ୍ରୀୟ ଶକ୍ତି ମାନଙ୍କର ଆକ୍ରୋଶର ଶିକାର ହୋଇ ସ୍ୱାମୀଜୀଙ୍କୁ ବଳିଦାନ ଦେବାକୁ ପଡିଥିଲା  ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

ଏହାସହ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଥିଲେ, ଦୁଇରୁ ୫ କୋଟି ଟଙ୍କାର ଭୌତିକ ସମ୍ପତି  ନିର୍ମାଣ କରି  ସ୍କୁଲ, ଲାବୋରେଟୋରୀ , ବସ କରି ସ୍ୱାମୀଜୀଙ୍କ କାମକୁ ଅଙ୍କାଯାଇ ପାରିବ ନାହିଁ । ସ୍ୱାମୀଜୀଙ୍କର ଅବଦାନ, ବଳିଦାନ ଓ ସଂସ୍କାର ୨ କିମ୍ବା ୫ କୋଟି ଟଙ୍କାରେ ଆକଳନ କରାଯାଇପାରିବ ନାହିଁ ।

ଏହାସହ ଆଜି ଯେଉଁ ଅତ୍ୟାଧୁନିକ ଓ ସୁରକ୍ଷିତ ଭବନ ତିଆରି ହୋଇଛି ଏବଂ ଲାବୋରେଟୋରୀ ସହ ସ୍କୁଲ ବସର ସୁବିଧା ପାଖାପାଖି ୪ କୋଟି ଟଙ୍କା ବ୍ୟୟରେ ଏ ପ୍ରକଳ୍ପକୁ ଆରମ୍ଭ କରାଯାଉଛି । ଏନବିସିସି ଏହାକୁ କ୍ୱିୟାନ୍ୱୟନ କରିବ ବୋଲି କହିଥିଲେ ଧର୍ମେନ୍ଦ୍ର ।

ଏକବିଂଶ ଶତାବ୍ଦିରେ ଝିଅମାନେ ଏହାର ସଦୂପଯୋଗ କରି ନୂଆ କନ୍ଧମାଳ ତିଆରି କରିବେ । କନ୍ଧମାଳର ନୂଆ ନାଁ ହେବ । ଝିଅମାନେ ସ୍ୱାବଲମ୍ବୀ ଓ ସଂସ୍କାରୀ ହେବା ସହ ଓଡିଶାକୁ ଦିଗଦର୍ଶନ ଦେବେ ଏବଂ ନେତୃତ୍ୱ ନେବେ ଓ ଭାରତ ବର୍ଷର ନାଁ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି  ।  ବୌଦ୍ଧ ସ୍ଥିତ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ତେଲ କମ୍ପାନୀ ତରଫରୁ ଏକ ବଡ ଦାୟିତ୍ୱ ନିଆଯାଇଛି । ଏହାର ଆଜି ଶୁଭାରମ୍ଭ କରାଗଲା ବୋଲି କହିଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ସ୍କୁଲରେ ବିଶେଷ କରି କନ୍ଧମାଳରେ ଝିଅମାନେ ସୁରକ୍ଷିତ ନାହାନ୍ତି ଏହା ଚିନ୍ତାର ବିଷୟ । ଛୋଟ ଝିଅ ଆଜି ଆଶ୍ରମ ସ୍କୁଲରେ ସୁରକ୍ଷିତ ଅବସ୍ଥାରେ ନାହିଁ । ଯେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ଘଟଣା ଆମ ନଜରକୁ ଆସିଛି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନେଉଛୁ, ଏ କଥା ମନକୁ କଷ୍ଟ ଲାଗିଥାଏ । ଏହାଠାରୁ ଚିନ୍ତାଜନକ ବକ୍ତବ୍ୟ କିଛି ନହୋଇପାରେ ବୋଲି ସେ କହିଛନ୍ତି ।

ସମାଜର ରକ୍ଷକ ଯେବେ ଦାୟିତ୍ୱହୀନ ହେବ, ଦିଗଭ୍ରଷ୍ଟ ହୋଇଯିବ ସେତେବେଳେ ସମାଜରେ ଅବ୍ୟବସ୍ଥା ତିଆରି ହେବାର ଲକ୍ଷଣ ଦେଖାଯିବ ।  ଜଲେଶପଟା ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଦ୍ୟାଳୟ କନ୍ୟାଶ୍ରମ ଗୋଟିଏ ମଲ୍ଲି ଫୁଲ ହେଉ, ଏ ପ୍ରକାର ସୁଗନ୍ଧ ତିଆରି କରୁ ଏବଂ କନ୍ଧମାଳ ନୁହେଁ ଓଡିଶାରେ ମଧ୍ୟ ନାଁ କରୁ ବୋଲି କହିବା ସହିତ ଶ୍ରଦ୍ଧା ରଖିଲେ ଶ୍ରଦ୍ଧା ବିକଶିତ ହୁଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.