ଫରିଦାବାଦ ଠାରେ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୧୬/୦୯) : ହରିୟାନାର ଫରିଦାବାଦ ଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ମାନର କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଣ୍ଡିଆନ୍ ଅଏଲର ଫରିଦାବାଦ୍ ସ୍ଥିତ ଅନୁସନ୍ଧାନ ଓ ବିକାଶ (ଆର ଆଣ୍ଡ ଡି) କେନ୍ଦ୍ରକୁ ବୁଲି ଦେଖିଛନ୍ତି ।
ଫରିଦାବାଦ୍ଠାରେ ଏହି ସିଏନଜି ଉତ୍ପାଦନ ପ୍ରକଳ୍ପ ପ୍ରଥମ ଥର କରି କାର୍ଯ୍ୟକ୍ଷମ ହେବାସହ କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ଉତ୍ପାଦନ କେନ୍ଦ୍ର। ଏହି ପ୍ରକଳ୍ପରୁ ଉତ୍ପାଦିତ ହୋଇଥିବା ପ୍ରଥମ ୨୫୦ କେଜି ସିବିଜି ବୋଝେଇ ଗାଡିକୁ କେନ୍ଦ୍ରମନ୍ତ୍ରୀ ଫରିଦାବାଦ୍ ସେକ୍ଟର -୭ ସ୍ଥିତ ଇସ୍କନର ମିଡ୍ ଡେ ମିଲ୍ ପ୍ରସ୍ତୁତ କେନ୍ଦ୍ରକୁ ପତାକା ଦେଖାଇ ଏହି ଗାଡିର ଯାତ୍ରାର ଶୁଭାରମ୍ଭ କରିଥିଲେ । ଇସ୍କନ ଦ୍ୱାରା ଦୈନିକ ପାଖାପାଖି ୬୦ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି।
ଏହି ପ୍ରକଳ୍ପର ଶୁଭାରମ୍ଭ ପରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁକୁ ଉର୍ଜ୍ଜା ସମ୍ପତିରେ ପରିଣତ କରିବାପାଇଁ ଦିଆଯାଇଥିବା ଆହ୍ୱାନର ଏହା ସଫଳ କ୍ରିୟାନ୍ୱୟନ। ଫରିଦାବାଦ୍ ସ୍ଥିତ ଏହି ପ୍ରକଳ୍ପ ଦୈନିକ ୫ ଟନ୍ ଜୈବ ବର୍ଜ୍ୟବସ୍ତୁକୁ ସିବିଜିରେ ପରିଣତ କରିବ। ଏହାଦ୍ୱାରା ଫରିଦାବାଦ୍ ର ଜୈବ ବର୍ଜ୍ୟ ପରିଚାଳନା ଓ ଉର୍ଜ୍ଜା ଆବଶ୍ୟକତାକୁ ପୂରଣ କରିବାପାଇଁ ସହାୟକ ହେବ।
ଫରିଦାବାଦ୍ ଗସ୍ତ ଅବସରରେ ଏଠାରେ ଥିବା ଇଣ୍ଡିଆନ୍ ଅଏଲ୍ ର ଆର ଆଣ୍ଡ ଡି ପ୍ରତିଷ୍ଠାନକୁ ବୁଲି ଦେଖିଥିଲେ। ଏହି ଠାରେ ବିକଳ୍ପ ଉର୍ଜ୍ଜା ପ୍ରସ୍ତୁତି ବିଶେଷ ଭାବରେ ୨ଜି ଓ ୩ ଜି ଇଥାନଲ, ହାଇଡ୍ରୋଜେନ୍ ମିଶ୍ରିତ ସିଏନଜି , ହାଇଡ୍ରୋଜେନ୍ ଜାଳେଣି ତଥା ଭବିଷ୍ୟତର ନିରନ୍ତର ଅକ୍ଷୟ ଉର୍ଜ୍ଜା ପାଇଁ କାମରେ ଏହି ପ୍ରତିଷ୍ଠାନ ନିୟୋଜିତ।
ଆଇଓସିଏଲ୍ ଦ୍ୱାରା ଉର୍ଜ୍ଜା ନବଉନ୍ମେଷ ଓ ଗବେଷଣା କେନ୍ଦ୍ର ମାଧ୍ୟମରେ ନୂତନ ଉର୍ଜ୍ଜାର ବିକଳ୍ପ ସନ୍ଧାନରେ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା ସହ ଯୁବ ବୈଜ୍ଞାନିକ ମାନଙ୍କର ନିୟୋଜନକୁ ଆଗକୁ ବଢାଉଥିବାରୁ ଶ୍ରୀ ପ୍ରଧାନ ଆଇଓସିଏଲ୍ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।