March 26, 2023

୫ ଦିନିଆ ଋଷ ଓ ଜାପାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ନୂଆଦିଲ୍ଲୀ(୨୨/୧୦) : ଅକ୍ଟୋବର ୨୨ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ଋଷ ଓ ଜାପାନକୁ ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି। ଗତ ସେପ୍ଟେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଋଷର ଭ୍ଲାଡିଭୋଷ୍ଟୋକ ଇକୋନୋମିକ୍ ଫୋରମ ବୈଠକରେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଭ୍ଲାଡିଭୋଷ୍ଟୋକରେ ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ୟ୍ୟନ୍ତ ଅବସ୍ଥାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ଆଗେଇ ନେବା ପାଇଁ ପଦକ୍ଷେପ ନେବାର କାର୍ୟ୍ୟକ୍ରମ ରହିଛି।

ଋଷର ବିଭିନ୍ନ ବିଭାଗର ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀ ଓ ବ୍ୟବସାୟୀ ଗୋଷ୍ଠୀ, ମନ୍ତ୍ରୀଙ୍କର ସାକ୍ଷାତ୍ ଆଲୋଚନା ସହ ବିଭିନ୍ନ ସ୍ଥାନକୁ ଯାଇ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନାର କାର୍ୟ୍ୟକ୍ରମ ରହିଛି। ଜେଭେଡାର ଜାହାଜ ପ୍ରସ୍ତୁତି ପ୍ରକଳ୍ପ, ଋଷର ପୂର୍ବାଂଚଳର ତୈଳ ଓ ଗ୍ୟାସ ପ୍ରକଳ୍ପ ବୁଲି ଦେଖିବା ସହ କୁକିଂ କୋଲ୍ ଓ ପରିବହନ ପଥ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ମନ୍ତ୍ରୀ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଓଏନ୍ଜିସି ବିଦେଶ ଋଷର ଗ୍ୟାସ କ୍ଷେତ୍ରରେ ଋଷର ସାଖାଲିନ୍-୧ ପ୍ରକଳ୍ପରେ ଏହି ଦେଶରେ ଭାରତର ସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି। ଏହି ପ୍ରକଳ୍ପ ଅଗ୍ରଗତି ଏବଂ ଓଏନ୍ଜିସିର ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ। ଜାପାନର ଅର୍ଥନୀତି, ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୫ ଓ ୨୬ ଅକ୍ଟୋବର ଦୁଇ ଦିନ ଟୋକିଓରେ ଅବସ୍ଥାନ କରିବେ। ଟୋକିଓରେ ବିଶ୍ୱ ଇସ୍ପାତ୍ ସମ୍ମିଳନୀରେ ଯୋଗଦେବେ। ଭାରତ ଓ ଜାପାନ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଜାପାନର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ଦୃଷ୍ଟିକୋଣରୁ ଏହି ସାକ୍ଷାତ୍ ଗୁରୁତ୍ୱପୂଣ୍ଣ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.