ବିଜେଡି ଏବଂ କଂଗ୍ରେସ ପାଇଁ ଆଦିବାସୀ ଓ ଦଳିତ ବର୍ଗ କେବଳ ଭୋଟବ୍ୟାଙ୍କ ; ନରେନ୍ଦ୍ର ମୋଦି
1 min read
ଆଓରି-ଭୁବନେଶ୍ଵର(୦୬/୦୪) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଓଡିଶା ଗସ୍ତକୁ ସଫଳ କରିବା ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସୁନ୍ଦରଗଡର ରୁପିଢିହି ଛତାବର ପଡିଆରେ ଏକ ସାଧାରଣ ସଭାରେ ମୋଦି ପ୍ରଚାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡ଼ରେ ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି । ଆଜିଠୁ ନବରାତ୍ରିର ଶୁଭାରମ୍ଭ ହେଉଛି ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।’
ଏହି ଅବସରରେ ମୋଦି ଓଡ଼ିଶାର ବୀର ପୁରୁଷ ଏବଂ ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଆକାଂକ୍ଷାରୁ ବିଜେପି ଜନ୍ମ ନେଇଛି । ଏହା ପରିବାରବାଦ ଉପରେ ଆଧାରିତ ନୁହେଁ କି ଅର୍ଥବଳ ଉପରେ ତିଆରି ହୋଇ ନାହିଁ । ଏହା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି ।ସେହିପରି ଭାରତ ଏବେ ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ବୋଲି କହିଛନ୍ତି ମୋଦି । ପୂର୍ବରୁ ବି ସରକାର ଥିଲା କିନ୍ତୁ ଏଭଳି ପଦକ୍ଷେପ ନେଉନଥିଲା । ଏବେ ମଜବୁତ ସରକାର ମଜବୁତ ପଦକ୍ଷେପ ନେଉଛି ।
ବିଜେଡି ଓଡ଼ିଶାବାସୀଙ୍କ ବିକାଶରେ ବାଧକ ସାଜିଛି। ବିଜେଡି ଏବଂ କଂଗ୍ରେସ ପାଇଁ ଆଦିବାସୀ ଓ ଦଳିତ କେବଳ ଭୋଟ ବ୍ୟାଙ୍କ ବୋଲି ମୋଦୀ କହିଛନ୍ତି। ସୁନ୍ଦରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗ ଦେଇ କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ ଝାଡ଼ଖଣ୍ଡ, ଛତିଶଗଡ଼ ଗଠନ ହୋଇଥିଲା। ଏବେ ଝାଡ଼ଖଣ୍ଡର ଗାଁ ଗାଁରେ ବିକାଶ ପହଞ୍ଚିଛି। ଝାଡ଼ଖଣ୍ଡର ଯୁବକମାନଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡୁନି। ଓଡ଼ିଶା ଗରିବ ନୁହେଁ, ଓଡ଼ିଶା ଲୋକଙ୍କ ପାଖରେ ସାମର୍ଥ୍ୟ ରହିଛି। ମାତ୍ର ଓଡ଼ିଶାରେ ଉଚିତ ନୀତି ଓ ନିୟତ ନାହିଁ। ଯଦି ବିଜେଡିର ନିୟତ ଠିକଥାନ୍ତା କୃଷକଙ୍କୁ ଉଚିତ ମୂଲ୍ୟ ମିଳିଥାନ୍ତା। କୃଷକଙ୍କୁ ସହାୟତା, ସ୍ଵାସ୍ଥ୍ୟ ସୁବିଧା ମିଳୁଥାନ୍ତା।
ଓଡ଼ିଶାରେ ୮ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି। କିନ୍ତୁ ୮ଲକ୍ଷରୁ ବହୁ ଅଧିକ ଗରିବ ପକ୍କା ଘର ପାଇଥାନ୍ତେ। ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ପ୍ରତି ଆଦିବାସୀ ବହୁଳ ଜିଲାକୁ ୫ କୋଟି ଲେଖାଏଁ ସହାୟତା ମିଳୁଛି। ବିଜେଡି, କଂଗ୍ରେସ ସେମାନଙ୍କ ବିକାଶ ପାଇଁ ବିଶେଷ ଭାବେ ଧ୍ୟାନ ଦେଇନାହାନ୍ତି। ସେଥିପାଇଁ ଓଡ଼ିଶାରେ କଂଗ୍ରେସ ନିଶ୍ଚିହ୍ନ ହେବାକୁ ବସିଛି। ମାଓବାଦୀଙ୍କୁ ହଟାଇବାକୁ ବିଜେପି ଯୋଜନା କରୁଛି। କିନ୍ତୁ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି। ବିଜେଡି ଆପଣମାନଙ୍କ ବିକାଶରେ ରୋକ ଲଗାଇ ଦେଇଛି। ଏଭଳି ସରକାରକୁ ବଦଳାଯିବା ଦରକାର କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଏଥିସହ ସେ କହିଥିଲେ, ମହିଳା ଓ ଯୁବତୀମାନଙ୍କ ସୁରକ୍ଷା ପାଇଁ ବିଜେଡି ସରକାରର ଚିନ୍ତା ନାହିଁ। ଦେଶର ସୁରକ୍ଷା ଏବଂ ଓଡ଼ିଶାର ବିକାଶ ପାଇଁ ପଦ୍ମ ଫୁଟାଇବାକୁ ପଡ଼ିବ ବୋଲି ମୋଦୀ ଆହ୍ଵାନ ଦେଇଥିଲେ।