ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା
1 min read
ଆଓରି-ଭୁବନେଶ୍ଵର(୧୭/୦୬): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଦାରୁବ୍ରହ୍ମଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ନାନ ମଣ୍ଡପ । ଆଜି ରତ୍ନ ମଣ୍ଡପ ଛାଡି ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜୀଉ । । ୧୦୮ ଗଡୁ ଜଳରେ ସ୍ନାନ କରି ଭକ୍ତମାନଙ୍କୁ ହାତୀ ବେଶରେ ଦର୍ଶନ ଦେବେ । ଶ୍ରୀଜୀଉଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ ।
ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି। ବ୍ୟବସ୍ଥାବଳୀ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି । ଏଥିପାଇଁ ୩୮ ଟିକିଆ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନପୂର୍ଣ୍ଣିମାରେ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତର କାଠ ପାଖରେ ଉପସ୍ଥିତ ରହିବେ।
ପ୍ରତିହାରୀ ସେବକଙ୍କ ସହଯୋଗରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ଶୋଧ କରାଯିବ। କେବଳ ମଙ୍ଗଳାର୍ପଣ ଓ ପହଣ୍ଡିରେ ସଂପୃକ୍ତ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ଉକ୍ତ ସ୍ଥାନରେ ରହିବାକୁ ଦିଆଯିବ ନାହିଁ। ଟାହିଆଗୁଡ଼ିକ ଯେପରି ସମ୍ମାନର ସହ ଓହ୍ଲାଯିବ ସେ ଉପରେ ଦୃଷ୍ଟି ଦେବାକୁ ଦଇତାପତି ସେବକମାନଙ୍କୁ କୁହାଯାଇଛି। ଶ୍ରୀଜିଉମାନେ ମନ୍ଦିର ବାହାରକୁ ଧାଡ଼ି ପହଣ୍ଡିରେ ବିଜେ କରିବେ। ପହଣ୍ଡି ସମୟରେ କର୍ଡନ ଭିତରେ ଦଇତାପତି ଓ ଆବଶ୍ୟକ ସଂଖ୍ୟକ ନୀତି ସଂପୃକ୍ତ ସେବକ ରହିବେ। ଶ୍ରୀଜୀଉଙ୍କୁ ଭକ୍ତଙ୍କ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି। ଦଇତାପତି ନିଯୋଗ, ପ୍ରତିହାରୀ ନିଯୋଗ, ୪ ବାଡ଼ଗ୍ରାହୀଙ୍କୁ ଏହାର ନିରୀକ୍ଷଣ ଦାୟିତ୍ଵ ଦିଆଯାଇଛି। ସୀମିତ ସଂଖ୍ୟକ ଘଣ୍ଟୁଆଙ୍କୁ ସ୍ନାନମଣ୍ଡପକୁ ଛଡ଼ାଯିବ। ଶୋଧ ବେଳେ ଅପ୍ରାଧିକୃତ ବ୍ୟକ୍ତି ସ୍ନାନମଣ୍ଡପ ତଳେ ରହିବେ।
ସ୍ନାନମଣ୍ଡପ ବାଡ଼ ପାର୍ଶ୍ଵରେ ଠିଆ ହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବା କିମ୍ବା ତୁଳସୀ ଆଦି ବାଣ୍ଟିବାରୁ ସେବକମାନେ ନିବୃତ୍ତ ରହିବେ। ଏହାକୁ ଉଲଘଂନ କଲେ ସେବକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ଶ୍ରୀଜିଉଙ୍କ ସମ୍ମୁଖରେ କେହି ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରିବେନି।