ଶ୍ରୀନଗର ସଚିବାଳୟରୁ ସ୍ୱତନ୍ତ୍ର ପତାକା ହଟାଯାଇ ଲାଗିଲା ଜାତୀୟ ପତାକା
1 min read
ଆଓରି-ନୂଆଦିଲ୍ଲୀ(୨୬/୦୮) : ଶ୍ରୀନଗରସ୍ଥିତ ସଚିବାଳୟରୁ ରାଜ୍ୟର ସ୍ୱତନ୍ତ୍ର ପତାକା ହଟାଯାଇ କେବଳ ଭାରତର ଜାତୀୟ ପତାକା ଲଗାଯାଇଛି । ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହର ଓ ରାଜ୍ୟର ପୁନର୍ଗଠନ ପରେ ରବିବାର ଶ୍ରୀନଗରସ୍ଥିତ ସଚିବାଳୟରୁ ରାଜ୍ୟର ସ୍ୱତନ୍ତ୍ର ପତାକା ହଟାଯାଇ କେବଳ ଭାରତର ଜାତୀୟ ପତାକା ଲଗାଯାଇଛି । କେବଳ ସଚିବାଳୟ ନୁହେଁ, ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଏଣିକି କେବଳ ତ୍ରିରଙ୍ଗା ପତାକା ଉଡ଼ିବ । ସ୍ୱତନ୍ତ୍ର ରାଜ୍ୟ ଥିବା ସମୟରେ ଶ୍ରୀନଗର ସଚିବାଳୟରେ ଭାରତର ଜାତୀୟ ପତାକା ସହ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ପତାକା ଲଗାଯାଉଥିଲା । ଏବେ କେବଳ ଭାରତର ଜାତୀୟ ପତାକା ଶ୍ରୀନଗର ସଚିବାଳୟରେ ଉଡ଼ିବ ।
ରାଜ୍ୟ ମାନ୍ୟତା ପାଇଁ ୬୭ ବର୍ଷ ହେଲା ଜମ୍ମୁ କଶ୍ମୀରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ସହିତ ନିଜର ରାଜ୍ୟ ପତାକା ଉଡ଼ାଯାଉଥିଲା । ରାଜ୍ୟ ପତାକାକୁ ହଟାଇ ନିଆଯିବା ନେଇ ରାଜ୍ୟର ଆଞ୍ଚଳିକ ରାଜନୈତିକ ଦଳ ଓ ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାଯାଇଛି । ଜଣେ ସୁରକ୍ଷା କର୍ମଚାରୀଙ୍କ କହିବା ଅନୁଯାୟୀ ରାଜ୍ୟ ପତାକା ହଟାଯିବାର ଦୃଶ୍ୟକୁ ଲୋକମାନେ ନିଜ କ୍ୟାମେରାରେ ଉତ୍ତୋଳନ କରୁଛନ୍ତି । ମାତ୍ର ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି । ଅକ୍ଟୋବର ୩୧ରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପରେ ଏହି ରାଜ୍ୟ ପତାକାକୁ ହଟାଯିବାର ଥିଲା ।
୧୯୫୨ରେ ଜମ୍ମୁ କାଶ୍ମୀର ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ସହିତ ରାଜ୍ୟ ପତାକା ଉଡାଯିବ । ଲାଲ ରଙ୍ଗର ରାଜ୍ୟ ପତାକା ୧୯୩୧ ଜୁଲାଇ ୧୩ରେ ଜାମ୍ମୁ କାଶ୍ମୀରରେ ହୋଇଥିବା ରକ୍ତପାତକୁ ସୂଚନା ଦିଏ । ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇବା ସହିତ ରାଜ୍ୟର ପୁନର୍ଗଠନ କରାଯାଇ ଜାମ୍ମୁ କାଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରି ଦିଆଯାଇଥିଲା । ଜାମ୍ମୁ କାଶ୍ମୀରରେ ବିଧାନସଭା ରହୁଥିବା ବେଳେ ଲଦାଖରେ ବିଧାନସଭା ରହିବ ନାହିଁ ।