April 20, 2024

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

1 min read

ଆଓରି-ଭୁବନେଶ୍ଵର(୨୩/୭) : ପୁରୀ ଶ୍ରୀମନ୍ଦିର ଠାରେ ଅପୂର୍ବ ରୂପଲାବଣ୍ୟମୟ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କର ସୁନାବେଶ। ପ୍ରତୀକାତ୍ମକ ଭାବେ ଉଭା ହୋଇ ସମଗ୍ର ଜନ ଓ ଜଗତକୁ ଚକିତ କରିଦିଅନ୍ତି ଦାରୁବ୍ରହ୍ମ । ସ୍ବୟଂ ଜଗନ୍ନାଥ ହେଉଛନ୍ତି ରସିକଶେଖର ଚୂଡାମଣି । ତାଙ୍କ ରୂପକାନ୍ତିର ପଟାନ୍ତର ନାହିଁ । ସବୁକଳା ହିଁ ତାଙ୍କଠାରେ ସନ୍ନବିଷ୍ଟ । ସେ ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ କଳାକାର। ବାରମାସରେ ଅନୁଷ୍ଠିତ ତେର ଯାତରେ ଦାରୁବିଗ୍ରହ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ବେଶରେ ପ୍ରକଟିତ ହୋଇ ଦର୍ଶନ ଦେଇଥାନ୍ତି ଶ୍ରଦ୍ଧାଳୁଙ୍କୁ । ଶ୍ରୀଜୀଉମାନଙ୍କ ସୁନାବେଶ ବେଶ୍‌ ମନୋମୁଗ୍ଧକର। ଏହି ବେଶକୁ ଅପଲକ ନୟନରେ ଅବଲୋକନ କରିବା ପାଇଁ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରୁଣ୍ଡ ହୋଇଥାନ୍ତି ବଡଦାଣ୍ଡରେ । ଗବେଷକଙ୍କ ମତାନୁସାରେ ୧୯୩୨ ମସିହାରୁ ଏହି ସୁନାବେଶ ବିଧିମୁତାବକ ପାଳିତ ହୋଇ ଆସୁଛି । ଆଷାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାର ନିକଟରେ ଏହି ବେଶ ରଥ ଉପରେ ହିଁ ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହଙ୍କ ଅଙ୍ଗରେ ସିଂହାରୀ ଶାଢି ଖଣ୍ଡୁଆ ଲାଗି କରାଇବା ପରେ କେବଳ ଶ୍ରୀଜଗନ୍ନାଥ ଓ ବଳରାମଙ୍କ ଶ୍ରୀହସ୍ତରେ ନେତଫୁଟ ଆଭୂଷଣ ପରିଧାନ କରାଇଥାନ୍ତି । ପ୍ରଭୁଙ୍କ ଅଙ୍ଗଲାଗି ନିମନ୍ତେ ମୂଲ୍ୟବାନ ସୁବର୍ଣ୍ଣ ଆଭୂଷଣ ଶ୍ରୀମନ୍ଦିରରେ ଗଚ୍ଛିତ ରହିଛି। ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ସତର୍କତାର ସହ ସମସ୍ତ ମୂଲ୍ୟବାନ ଅଳଙ୍କାର ଅଣାଯାଇ ରଥାରୂଢ ପ୍ରଭୁଙ୍କ ବେଶରେ ବ୍ୟବହୃତ ହୁଏ ।ମସ୍ତକରେ ମୁକୁଟମାନ ଶୋଭାବର୍ଦ୍ଧନ କରିଥାଏ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କର ମୁକୁଟ ଉପରେ ଚନ୍ଦ୍ରିକା ଭାବେ ପରିଚିତ ମୟୂରଚୂଳ ନାମକ ସ୍ବର୍ଣ୍ଣ ଅଳଙ୍କାର ଖଞ୍ଜା ଯାଏ। ମହାପ୍ରଭୁଙ୍କ ଶ୍ରୀହସ୍ତରେ ସ୍ବର୍ଣ୍ଣରେ ର୍ନିମିତ ଶ୍ରୀଚକ୍ର ଓ ପଦ ଏବଂ ବଡ ଠାକୁରଙ୍କ ଶ୍ରୀହସ୍ତରେ ସ୍ବର୍ଣ୍ଣିକ ମୂଷଳ ଓ ଗଦା ଶୋଭା ପାଏ

ସର୍ବଦା ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି ହେବ। ଏହି ବିରଳ ମୁହୂର୍ତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିବର୍ଷ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସଂଧ୍ୟା ୫ଟାରେ ତିନି ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ହେଉଥିବା ବେଳେ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୧ଟାରେ ସୁନାବେଶ ଓଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.