କମନ ୱେଲଥ ଗେମ୍ ପରି ହକି ବିଶ୍ଵକପରେ ମଧ୍ୟ ହୋଇଛି ଦୁର୍ନୀତି ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୨/୦୨) : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ସରକାର ଘୋଷଣା କରୁଛନ୍ତି ଯୋଜନା । ଏମିତି ମଧ୍ୟ ଦେଖିବାକୁ ମିଳିଛି ଯେ ଆକଷ୍ମିକ ପାଣ୍ଠିରୁ ଟଙ୍କା ଉଠାଇ ମଧ୍ୟ ଯୋଜନା ଘୋଷଣା କରୁଛନ୍ତି । ଲୋକଙ୍କ ହିତ ପାଇଁ ଯୋଜନା ଆଣିବା ବେଳେ ଆକଷ୍ମିକ ପାଣ୍ଠି କଥା ମନେପଡ଼ୁଛି ।
ତେବେ ନିକଟରେ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପକୁ ନେଇ ବହୁ ବାଦ-ବିବାଦ ଉପୁଜିଥିଲା । ତେବେ ହକି ବିଶ୍ୱକପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କମନ ୱେଲଥ ଗେମ୍ ପରି ଦୁର୍ନୀତି ରାଜ୍ୟରେ ଅନୁଷ୍ଠିତ ହକି ବିଶ୍ୱକପରେ ହୋଇଛି । ହକି ବିଶ୍ୱକପରେ ଓଡିଶା ସରକାରଙ୍କୁ ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କୁ ନଚେଇବାର ପଇସା ଅଛି ମାତ୍ର ରାଜ୍ୟର ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ହକି ପାଇଁ ଅନେକ ଟଙ୍କା କମ୍ପାନୀମାନଙ୍କ ଠାରୁ ଅଣ ଓଡିଆ ଅଫିସର ମାନେ ବିଶେଷତଃ ଖେଳ ବିଭାଗ ତରଫରୁ ଆଦାୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛନ୍ତି । ସିଏଜି ଏଥିରେ ହସ୍ତକ୍ଷେପ କରିବା ସହ ଏ ଚୋରୀ ଧରାପଡିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।
ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଅନେକ ସାମ୍ବିଧାନିକ ପଦବୀ ଖାଲି ରହିଛି । ଓଡିଶା ସରକାର ଏ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ । ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଓଡିଶା ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରିବାକୁ ଟାଳଟୁଳ ନୀତି ଆରମ୍ଭ କରିଛନ୍ତି । ଏହା ଗଣମାଧ୍ୟମରୁ ଶୁଣିବାକୁ ପାଇଲି । ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡିଶାର ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥକୁ ଚାଷୀ ମାନଙ୍କୁ ପ୍ରଦାନ କରିବାରେ ବାଧକ ନହୋଇ ସହାୟକ ହେବେ ବୋଲି ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।