ମୋଦିଙ୍କୁ ନିଜର ବଡ଼ ଭାଇ ବୋଲି ସମ୍ବୋଧିତ କଲେ ସାଉଦି ଆରବର ରାଜା ମହମ୍ମଦ ବିନ୍ ସଲମାନ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୨) : ଭାରତ ଗସ୍ତରେ ଆସିଥିବା ସାଉଦି ଆରବର ରାଜା ମହମ୍ମଦ ବିନ୍ ସଲମାନଙ୍କୁ ରାଷ୍ଟ୍ରପତି ଭବନରେ ମର୍ଯ୍ୟାଦାର ସହ ସ୍ୱାଗତ କରାଯାଇଛି । ଭାରତ ଗସ୍ତରେ ଆସି ସାଉଦି ଆରବର ରାଜା ମହମ୍ମଦ ବିନ୍ ସଲମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ବଡ଼ ଭାଇ ବୋଲି କହିଛନ୍ତି । ରାଷ୍ଟ୍ରପତି ଭବନେରେ ପ୍ରିନ୍ସ ସଲମାନଙ୍କୁ ଔପଚାରିକ ସ୍ୱାଗତ କରାଯାଉଥିବା ସମୟରେ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଛି । ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରିନ୍ସଙ୍କ ସ୍ୱାଗତ କରିଛନ୍ତି ।
ସାଉଦି ଆରବ ଏବଂ ଭାରତ ମଧ୍ୟରେ ଅନେକ ବୁଝାମଣା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ବିଶେଷ କରି ସୁରକ୍ଷା, ସହଯୋଗ ଏବଂ ନୌସେନା ଅଭ୍ୟାସ ଭଳି ଦିଗରେ ଉଭୟ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଉପସ୍ଥିତ ଥିଲେ । ପ୍ରିନ୍ସ ସଲମାନ ଭାରତ ଗସ୍ତରେ ଆସି ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଭାରତବାସୀ ଆମ ମିତ୍ର ଏବଂ ଗତ ୭୦ ବର୍ଷ ମଧ୍ୟରେ ସାଉଦିକୁ ଆଗକୁ ନେବାରେ ଭାରତର ଯୋଗଦାନ ରହିଛି । ଏଣୁ ଏହା ସୁନିଶ୍ଚିତ ଯେ, ଉଭୟ ଦେଶ ପାଇଁ ଆମେ କୌଣସି ମତେ ଏହି ସମ୍ପର୍କକୁ ସୁଦୃଢ କରି ରଖିବୁ ।”
ପ୍ରିନ୍ସ ସଲମାନଙ୍କ ଭାରତ ଗସ୍ତରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିଷୟ ମୁଖ୍ୟ ପ୍ରସଙ୍ଗ ରହିଛି । ଅନ୍ୟପଟେ ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ସାଉଦି ଆରବର ସମର୍ଥନ ପାଇଥିବା ଦାବି କରୁଛି । ତେବେ ଏସମସ୍ତ ଦୃଷ୍ଟିରୁ ସାଉଦି ରାଜାଙ୍କ ଏଭଳି ସମୟରେ ଭାରତ ଗସ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଆଲୋଚନା ହେଉଛି ।
ପ୍ରକାଶ ଯେ, ସାଉଦି ରାଜାଙ୍କ ଭାରତ ଗସ୍ତରେ ଭାରତ ଓ ସାଉଦି ଆରବ ମଧ୍ୟରେ ୫ ରାଜିନାମା ଉପରେ ବୁଝାମଣା ମଧ୍ୟ ହୋଇପାରେ। ଏହି ସମୟରେ କିଛି ପ୍ରତିରକ୍ଷା ରାଜିନାମା ମଧ୍ୟ ହୋଇପାରେ । ଅନ୍ୟପଟେ ଭାରତ ଖୁବଶୀଘ୍ର ଆରବ ସହିତ ସମରାଭ୍ୟାସ ମଧ୍ୟ କରିବାକୁ ଯାଉଛି । ଗତ କିଛି ସମୟ ହେବ ସାଉଦି ଆରବ ଭାରତ ସହିତ ନିଜର ସମ୍ବନ୍ଧକୁ ମଜବୁତ କରିବାକୁ ରୁଚି ଦେଖାଇଛି । ସାଉଦି ଆତଙ୍କ ବିରୋଧରେ ସୂଚନା ଦେବା ଓ ମନି ଲଣ୍ଡ୍ରିଂକୁ ରୋକିବା ବିଷୟରେ ମଧ୍ୟ ପଦକ୍ଷେପ ନେଉଛି।
ସୂତ୍ର ମୁତାବକ, ସାଉଦି ଆରବର ଦୁଇଟି ବଡ଼ ତୈଳ କମ୍ପାନୀ ରତ୍ନଗିରି ରିଫାଇନାରି ପ୍ରକଳ୍ପରେ ୪୪ ଅରବ ଡଲାରର ନିବେଶ କରିପାରେ। ନିଜର ପାକିସ୍ତାନ ଗସ୍ତରେ ପ୍ରିନ୍ସ ସଲମାନ ରବିବାର ପାକ୍ ସରକାର ସହିତ ୨୦ ଅରବ ଡଲାରର ୮ଟି ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି। ତାଙ୍କ ଯାତ୍ରା ପୂର୍ବରୁ ପୁଲଓ୍ଵାମା ହମଲା କାରଣରୁ କିଛି ଅନିଶ୍ଚିତତା ନଜର ଆସୁଥିଲା। କାରଣ ପ୍ରିନ୍ସ ସଲମାନ ଗୋଟିଏ ଦିନ ବିଳମ୍ବରେ ପାକିସ୍ତାନ ପହଞ୍ଚିଥିଲେ।