April 18, 2024

ରାହୁଲଙ୍କ ସମ୍ପତ୍ତି ୫୫ ଲକ୍ଷରୁ ୯ କୋଟି ଟଙ୍କାକୁ କେମିତି ବୃଦ୍ଧି ଘଟିଲା ବୋଲି ପ୍ରଶ୍ନ କଲେ ସମ୍ବିତ ପାତ୍ର

1 min read

ଆଓରି-ନୂଆଦିଲ୍ଲୀ(୨୪/୦୩) : ବିଜେପି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଅଣାଯାଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହି ଅଭିଯୋଗ ରଖିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ ୨୦୦୪ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ରାହୁଲ ଗାନ୍ଧୀ ନିଜ ସମ୍ପତ୍ତି ପରିମାଣ ୫୫ ଲକ୍ଷ ଟଙ୍କା ଦର୍ଶାଇଥିଲେ। ୨୦୧୪ ଲୋକସଭା ନିର୍ବାଚନ ସତ୍ୟପାଠରେ ରାହୁଲ ଗାନ୍ଧୀ ନିଜ ସମ୍ପତ୍ତି ମୂଲ୍ୟ ୯ କୋଟି ଟଙ୍କା ଦେଖାଇଥିଲେ। ତେବେ ରାହୁଲଙ୍କ ସମ୍ପତ୍ତି ୫୫ ଲକ୍ଷରୁ ୯ କୋଟି ଟଙ୍କାକୁ କେମିତି ବୃଦ୍ଧି ଘଟିଲା ବୋଲି ବିଜେପି ପ୍ରଶ୍ନ କରିଛି।

ରାହୁଲ ଜଣେ ଲୋକସଭା ସାଂସଦ ଓ ତାଙ୍କର ଏକମାତ୍ର ରୋଜଗାର ଉତ୍ସ ହେଉଛି ସାଂସଦ ହିସାବରେ ଦରମା। ରାହୁଲ ଡାକ୍ତର କିମ୍ବା ଓକିଲ ଭଳି ପେଶା ନାହିଁ। ସେହିପରି ଦିଲ୍ଲୀର ମେହରୌଲିସ୍ଥିତ ଏକ ଫାର୍ମ ହାଉସକୁ ନେଇ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି। ପ୍ରାୟ ୫ କୋଟି ଟଙ୍କାର ଏହି ଫାର୍ମ ହାଉସର ନାମ ଇନ୍ଦିରା ଫାର୍ମ ହାଉସ ରଖାଯାଇଛି ଓ ଏହାର ମାଲିକ ରାହୁଲ ଏବଂ ପ୍ରୟିଙ୍କା ଗାନ୍ଧୀ ଭଦ୍ରା ବୋଲି ସେ ଦାବି କରିଛନ୍ତି। ଏହାକୁ ୨୦୧୩ରେ ଫାଇନାନ୍ସିଆଲ ଟେକ୍ନୋଲୋଜି ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀକୁ ଭଡ଼ାରେ ଦିଆଯାଇଥିଲା। ଏହି ବାବଦ ପ୍ରତି ମାସରେ ୭ ଲକ୍ଷ ଟଙ୍କା ଭଡ଼ା ଅଣାଯାଉଥିଲା। ଭଡ଼ା ପାଇଁ ପ୍ରଥମେ ୪୦ ଲକ୍ଷ ୨୦ ଟଙ୍କା ବିନା ସୁଧରେ ଅଗ୍ରୀମ ଅଣାଯାଇଥିଲା।

ଅନୁରୂପ ଭାବେ ୨୦୧୦ରେ ଗୁରୁଗ୍ରାମରେ ଏକ ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାହୁଲ ଗାନ୍ଧୀ ହେରଫେର କରି ମାତ୍ର ୪ କୋଟି ଟଙ୍କାରେ କିଣିଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ରାହୁଲଙ୍କ ସମ୍ପତ୍ତି ମୂଲ୍ୟ ଆୟଠାରୁ କିପରି ଅଧିକ ହେଲା ବୋଲି ବିଜେପି ପ୍ରଶ୍ନ କରିଛି ଓ ଏହା ଉପରେ ଉତ୍ତର ରଖିବାକୁ ଆହ୍ୱାନ ଦେଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.