ଜାଣନ୍ତୁ, କାର୍ତ୍ତିକ ମାସରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ କାହିଁକି
1 min readହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ଏହି ସମୟରେ ଅନେକ କାର୍ଯ୍ୟ ବାରଣ କରାଯାଇଥାଏ। ଯେମିତି ଗଛ ନ କାଟିବା, କେଶ ନ କାଟିବା, ଫୁଲଫଳ ନ ତୋଳିବା ଇତ୍ୟାଦି। ତେବେ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସରେ ଆମିଷ ଖାଇବାକୁ ବାରଣ କରାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଜୀବହତ୍ୟା କରିବା ମହାପାପ ବୋଲି କୁହାଯାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ସାଧାରଣତଃ ମାଛଙ୍କୁ ଏହି ସମୟରେ ବସନ୍ତ ରୋଗ ହୋଇଥାଏ ବୋଲି କୁହାଯାଏ। ବର୍ଷା ଶେଷ ହେଉଥିବା ଓ ଶୀତ ଋତୁ ଆରମ୍ଭରେ ମାଛଙ୍କୁ ଚର୍ମରୋଗ ହେଉଥିବାରୁ ଆମିଷ ଖାଇବାକୁ ବାରଣ କରାଯାଇଥାଏ। ଏହା ବ୍ୟତୀତ ଅନ୍ୟ ଜୀବଜନ୍ତୁଙ୍କ ମାଂସ ଯେପରିକି ମେଣ୍ଢା, ଛେଳି, କୁକୁଡା ଆଦି ଖାଇବାକୁ ମଧ୍ୟ ବାରଣ କରାଯାଇଥାଏ। କାରଣ ଏମାନେ ଖୁବ୍ କମ୍ ସମୟରେ ବଂଶ ବୃଦ୍ଧି କରିଥାଆନ୍ତି। ଆଉ ସେହି ସମୟ ହେଉଛି କାର୍ତ୍ତିକ ମାସ। ଅର୍ଥାତ୍ କାର୍ତ୍ତିକ ମାସରେ ଏମାନେ ପ୍ରଜନନକ୍ଷମ ହୋଇଥାଆନ୍ତି। ତେଣୁ ପ୍ରଜନନ କରୁଥିବା ଜୀବଜନ୍ତୁଙ୍କ ମାଂସ ଖାଇଲେ ଏହା ମନୁଷ୍ୟ ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ। ସେଥିପାଇଁ କାର୍ତ୍ତିକରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ।
ଡାକ୍ତର ମତ ଦିଅନ୍ତି ବର୍ଷା ଋତୁ ପରେ ପରେ ଆସେ ଶୀତ ଋତୁ। ଆଉ ଏହାର ଆରମ୍ଭ ମାସ ହେଉଛି କାର୍ତ୍ତିକ ମାସ। ବର୍ଷା ଋୁତୁରେ ରାସ୍ତା କଡର ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କାରଣ ଏଥିରେ ଜୀବାଣୁ ଥିବା ସମ୍ଭାବନା ଅଧିକ ଥାଏ। ତେଣୁ ସତର୍କତାର ସହ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ କୁହାଯାଏ। ଆଉ ଏହା ପରେ ପରେ କାର୍ତ୍ତିକ ମାସ ଆସୁଥିବାରୁ ଏହି ସମୟରେ ମଣିଷର ହଜମ ଶକ୍ତି ଏତେଟା ସକ୍ରିୟ ନ ଥାଏ। ଅର୍ଥାତ କାର୍ତ୍ତିକ ମାସରେ ଭଲ ହଜମ ହୋଇ ନ ଥାଏ। ଏପଟେ ଆମିଷକୁ ହଜମ କରିବାକୁ ଅତିକମ୍ରେ ୨ରୁ ୩ ଦିନ ଲାଗୁଥିବାରୁ ଏହି ସମରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ। ତେଣୁ କାର୍ତ୍ତିକ ମାସରେ ଆମିଷ ନ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ।