ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ୍ ଚଳାଚଳ ନେଇ ପିୟୂଷ ଗୋଏଲଙ୍କ ଘୋଷଣା
1 min read
ଆଓରି-ଭୁବନେଶ୍ଵର(୨୦/୦୮) : ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବ୍ୟବସ୍ଥା ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ଶ୍ରୀ ଗୋଏଲଙ୍କ ପତ୍ରର ପ୍ରତ୍ୟୁତ୍ତରରେ କହିଛନ୍ତି।
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପିୟୂଷ ଗୋଏଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଟ୍ରେନ୍ ନମ୍ବର ୧୮୪୩୭ /୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି ।
ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବର୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍ରୁ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି ।