ଫେରାର ୫ ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ


ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଫେରାର ୫ ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ପୋଲିସ୍। ସେମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସଂପର୍କରେ ସୂଚନା ଦେବାକୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ), ଉପଜିଲ୍ଲାପାଳ, ତହସିଲଦାର ଓ ବ୍ୟାଙ୍କକୁ ଚିଠି ଲେଖିଛନ୍ତି ପୁରୀ ଏସ୍‌ପି।

ଫେରାର ସେବାୟତମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ ଓ ଇପ୍‌ସିତ ପ୍ରତିହାରୀ। କୋର୍ଟ ସେମାନଙ୍କୁ ପଳାତକ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ କହିଥିଲେ।

ପୁରୀ ଏଏସ୍‌ପି ଜଗନ୍ନାଥ ପ୍ରଧାନ କହିଛନ୍ତି,

ନିର୍ଦ୍ଧାରିତ ତାରିଖ ସୁଦ୍ଧା ୫ ଫେରାର ସେବାୟତ ଆତ୍ମସମର୍ପଣ ନ କରିବାରୁ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେମାନଙ୍କର ସମ୍ପତ୍ତି ସଂପର୍କିତ ରିପୋର୍ଟ ମିଳିବା ପରେ ସେଗୁଡ଼ିକୁ ବାଜ୍ୟାପ୍ତ କରିବାକୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯିବ। ମୋଟ ୬ ଜଣ ସେବାୟତଙ୍କୁ କୋର୍ଟ ପଳାତକ ଘୋଷଣା କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ରବି ଦାସଙ୍କୁ ଗତ ମାସରେ ପୋଲିସ୍ ଗିରଫ କରି ସାରିଛି।