April 18, 2024

ମୁଖ୍ୟ ଶାସନ ସଚିବ ନଆସିବାରୁ ବାତିଲ ହେଲା ପ୍ରକଳ୍ପ ସମ୍ପର୍କିତ ବୈଠକ ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Target-Aditya-Prasad-Padhi-Aajira-Odisha

ଆଓରି-ଭୁବନେଶ୍ଵର(୨୩/୦୨) : କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ବୈଠକ ବାତିଲ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ ଓ ଏନଏଚଏଆଇ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବ ନଆସିବା ଯୋଗୁ ବୈଠକ ବାତିଲ କରାଯାଇଛି । ଏହି ବୈଠକରେ କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଆଲୋଚନା ହେବାର ଥିଲା । ମାତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ନହେବାରୁ ଏହାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଆବଶ୍ୟକ । ତେଣୁ ବୈଠକ ପାଇଁ ଡାକିଥିଲୁ । ୯ଟା ୧୫ରୁ ୧୦ଟା୪୫ ଯାଏଁ ଅପେକ୍ଷା କଲୁ । ମାତ୍ର ମୁଖ୍ୟ ଶାସନ ସଚିବ ଆସିଲେନି । ଏଥିରୁ ରାଜ୍ୟ ସରକାରଙ୍କ କେତେ ତତ୍ପରତା ଜଣାପଡୁଛି । ପ୍ରଗତି ପାଇଁ ପ୍ରକଳ୍ପ ଆବଶ୍ୟକ ବୋଲି ବୋଧ ହୁଏ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟ ଶାସନ ସଚିବଙ୍କୁ ସେ ସମାଲୋଚନା କରିବା ସହ କହିଛନ୍ତି ଯେ, ବଡ କାମରେ ବୋଧହୁଏ ବ୍ୟସ୍ତ ଥିବେ, ସେଥିପାଇଁ ଆସିଲେନି ।

ରାଜ୍ୟର କିଛି ଅସୁବିଧା ହେଲେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କେନ୍ଦ୍ରକୁ ଦୋଷ ଦିଅନ୍ତି । ରାଜ୍ୟର ବିଭିନ୍ନ ପ୍ରକଳ୍ପ ହେଉ ଅବା କେନ୍ଦ୍ରୀୟ ସହାୟତା ସବୁ କ୍ଷେତ୍ରରେ କେନ୍ଦ୍ରର ଅବହେଳା ବୋଲି କୁହନ୍ତି । କିନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଚାହୁଁ ନଥିବା ଆଜି ସ୍ପଷ୍ଟ ହୋଇଛି । ଏହାସହ ରାଜ୍ୟ ସରକାରଙ୍କ ଓଡିଶାର ଉନ୍ନତି ପାଇଁ ତିଳେହେଲେ ଆନ୍ତରିକତା ନଥିବା ପ୍ରମାଣିତ ହୋଇଛି ।

ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି କି, ଭାରତ ସରକାରଙ୍କ ଗୁଡିଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡିଶାରେ ଅହେତୁକ ବିଳମ୍ବ ହେଉଛି । ପେଟ୍ରୋଲିୟମ ବିଭାଗର ଅନେକ ପ୍ରକଳ୍ପ, ରେଲୱେର ରାସ୍ତା ବିଭାଗ, ଏନଏଚଏଆଇ, ନାଲକୋ, ଏନଟିପିସି, ଏମସିଏଲ ସହ ରାଜ୍ୟ ସରକାରଙ୍କ ଆଲୋଚନାର ଆବଶ୍ୟକତା ଅଛି । ଏଥିପାଇଁ ଆଜି ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । କିନ୍ତୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଚିଠିରେ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଆସିଲେ ନାହିଁ । ବୋଧହୁଏ ସେ ବଡ କାମରେ ବ୍ୟସ୍ତ ଥିବେ, ସମୟ ହୋଇନଥିବ । ପ୍ରଗତିରେ ଏସବୁ କାମଗୁଡିକ ଗୁରୁତ୍ୱ ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ଜଣାନଥିବ । ଏଥିରୁ ରାଜ୍ୟର ବିକାଶ ପାଇଁ ରାଜ୍ୟସରକାରଙ୍କ କେତେ ଆନ୍ତରିକତା ତାହା ଜଣାପଡୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.