ବିକାଶ ଜନ ଆନ୍ଦୋଳନରେ ପରିଣତ ହେବା ଦରକାର
1 min read
ଆଓରି(ତା୧୯|୪)-
ବିଦେଶ ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଲଣ୍ଡନର ୱେଷ୍ଟମିନିଷ୍ଟରସ୍ଥିତ ସେଣ୍ଟ୍ରାଲ ହଲ୍ରେ ଭାରତୀୟ ସମୁଦାୟଙ୍କୁ ଉଦ୍ବୋଧନ ଦେଇଛନ୍ତି। ‘ଭାରତ କି ବାତ, ସବ୍କେ ସାଥ’ ନାମରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ବିକାଶ ପ୍ରକ୍ରିୟାରେ ସମସ୍ତେ ଭାଗନେବା ଦରକାର। ସମସ୍ତଙ୍କ ଯୋଗଦାନ ଦ୍ୱାରା ଗଣତନ୍ତ୍ର ସୁଦୃଢ ହୋଇଥାଏ ଓ ଏହାଦ୍ୱାରା ସୁଶାସନ ପ୍ରତିଷ୍ଠା ହୋଇଥାଏ।
ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବା ପଛରେ ମହାତ୍ମା ଗାନ୍ଧିଙ୍କର ବଡ ଭୂମିକା ରହିଥିଲା। ସେହିପରି ଦେଶର ବିକାଶ ପ୍ରକ୍ରିୟାକୁ ଜନଆନ୍ଦୋଳନରେ ପରିଣତ କରାଯିବା ଦରକାର। ଏହାଦ୍ୱାରା ସମସ୍ତଙ୍କ ପାଖରେ ବିକାଶ ପହଞ୍ଚିପାରିବ। ଭାରତର ପ୍ରତିଟି ଲୋକଙ୍କ ନିକଟରେ ବିକାଶର ଧାରା ଓ ସୁଶାସନ ପହଞ୍ଚାଇବା ଦିଗରେ ସେ କାର୍ଯ୍ୟ କରୁଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସତ୍ତ୍ବେ ଲୋକମାନେ ତାଙ୍କ ଠାରୁ ଅଧିକ କିଛି ଆଶା କରୁଛନ୍ତି। କାରଣ ଲୋକେ ଜାଣିଛନ୍ତି ସେ (ପ୍ରଧାନମନ୍ତ୍ରୀ) ଅଧିକ କିଛି କରିପାରିବେ। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯେ ଭାରତ କେବେହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ଶାନ୍ତିରେ ବିଶ୍ୱାସ କରୁ; ମାତ୍ର ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱିଡେନ ଗସ୍ତ ସାରି ବୁଧବାର ସକାଳେ ବ୍ରିଟେନରେ ପହଞ୍ଚିଥିଲେ। ଏଠାରେ ସେ ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ଯୋଗଦେଇଥିଲେ। ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ, ରାଣୀ ଏଲିଜାବେଥ, ଯୁବରାଜ ଚାର୍ଲସ ଓ ଅନ୍ୟମାନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଥିଲା।