ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବାଧକ ସାଜୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି-ଭୁବନେଶ୍ଵର(୧୨/୦୩) : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ସରକାର ଚାଷୀ କାର୍ଡ ଖେଳିବାରେ ବ୍ୟସ୍ତ । ପ୍ରଥମେ ଚାଷୀଙ୍କ ପାଇଁ କାଳିଆ ଯୋଜନା । ପରେ ପରେ ଚାଷୀଙ୍କ ପିଲାମାନଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଅନେକ ସମୟରେ କାଳିଆକୁ ନେଇ ଅନିୟମିତତା ଦେଖାଯାଉଥିବା ଖବର ସାମ୍ନାକୁ ଆସୁଛି । ତେବେ କେନ୍ଦ୍ରର ଚାଷୀ ମଙ୍ଗଳକାରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶା ଚାଷୀଙ୍କୁ ସୁବିଧା ମିଳୁ ବୋଲି ବୋଧହୁଏ ରାଜ୍ୟ ସରକାର ଚାହୁଁ ନାହାନ୍ତି । ରାଜ୍ୟ ସରକାର ସଠିକ ଚାଷୀ ତାଲିକା ପ୍ରସ୍ତୁତ କରୁ ନାହାନ୍ତି କି କେନ୍ଦ୍ରକୁ ପଠାଉ ନାହାନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି । ତେବେ ବିଜେପି ଦ୍ୱାରା ଆସ୍କାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ମାତ୍ର କିଏ ଲାଭ ପାଇଲା କାହାକୁ ଜଣାନାହିଁ । ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ ଏକର ଜମି ତଳେ ଥିବା ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ । ଏଥିପାଇଁ ରାଜ୍ୟ ସରକାର କିନ୍ତୁ ତାଲିକା ଦେଲେ ନାହିଁ । ଓଡିଆ ଲୋକଙ୍କୁ ଏହି ଯୋଜନାରୁ କାହିଁକି ବଂଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆସ୍କା ସହରରେ ଋଷିକଲ୍ୟାର ବନ୍ୟା ପାଣି ପଶୁଛି । ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଦାୟିତ୍ୱରେ ରହିବା ପରେ ମଧ୍ୟ ତାଙ୍କ ଗୃହ ଜିଲ୍ଲାରେ ଏହାର ସମାଧାନ କରିନାହାନ୍ତି । ଏହାକୁ ପାରିବା ପଣିଆ ନା ଅପାରଗ ସରକାର କହିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭାରତବର୍ଷର ବିଭିନ୍ନ ବର୍ଗର ଲୋକ ମାନଙ୍କ ଆଶୀର୍ବାଦ କାରଣରୁ ଗତ ୫ ବର୍ଷ ତଳେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ଅହୋରାତ୍ର ପରିଶ୍ରମ କରି ଦେଶର ସୁରକ୍ଷା, ଅର୍ଥନୀତି, ସୁଖ, ଶାନ୍ତି, ଗରିବ କଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦେଇ ଦେଶର ପ୍ରଧାନ ସେବକ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ପୁଣି ଦେଶରେ ଏକ ସ୍ଥାୟୀ, ଦୃଢ ବ୍ୟକ୍ତିତ୍ୱକୁ ବାଛିବାର ସମୟ ଆସିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାକିସ୍ତାନ ବିଗତ ୭୦ ବର୍ଷ ଧରି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯୁଦ୍ଧ କରି ଆସିଛି । ପାକିସ୍ତାନ ଭାରତୀୟ ସୈନିକଙ୍କୁ ପଛପଟୁ ଆକ୍ରମଣ କଲା । ଏହା ପରେ ମୋଦି ଭାରତର ସୈନିକ ଓ ଅର୍ଦ୍ଧ ସୈନିକ ମାନଙ୍କୁ ଶତ୍ରୁଙ୍କୁ ନିପାତ କରିବାକୁ ସେମାନଙ୍କୁ ନିଜସ୍ୱ ଅଧିକାର ଦେଲେ । ଏହା ପରେ ଘଟଣାର କିଛି ଦିନ ପରେ ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଲେ । ପାକିସ୍ତାନ ଭାରତୀୟ ବାୟୁସେନାର ଆକ୍ରମଣଙ୍କୁ ସ୍ୱୀକାର କରୁଥିବା ବେଳେ କଂଗ୍ରେସର ନେତା ମାନେ ଏହାର ପ୍ରମାଣ ମାଗୁଛନ୍ତି । ସେହିପରି ବିଜୁ ଜନତା ଦଳର ଲୋକମାନେ ଦେଶରେ ନାଁ ପକାଇଲେ । ନିଆଳିର ଜଣେ ସୈନିକଙ୍କୁ ବିଜୁ ଜନତା ଦଳର ଲୋକମାନେ ତଂଟିଆ ମାରି ନିନ୍ଦନୀୟ କାମ କଲେ । ପାକିସ୍ତାନରେ ଏହା ପ୍ରସାରିତ ହେଲା । ଏହାର ଜବାବ ଦେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାରେ ଗାଁକୁ ପାଇପ ଯୋଗେ ପିଇବା ପାଣି ଆସିନାହିଁ । ୧୯ ବର୍ଷ ଶାସନ ପରେ ମୁଖ୍ୟମନ୍ତ୍ରୀ ମହାଶୟ ଆସ୍କା, ଜଗନ୍ନାଥ ପ୍ରସାଦ, ଛତ୍ରପୁର, ଗଞ୍ଜାମ ସହରରେ ଠିକ୍ ପିଇବା ପାଣିର ବ୍ୟବସ୍ଥା କଲେନାହିଁ । ୧୯ ବର୍ଷ ପରେ ଯେ ପାଣି ଦେଇପାରି ନାହିଁ ସେ ସରକାରକୁ ବଦଳେଇବା ଦରକାର । ଆସ୍କା ଅଂଚଳର ଯୁବକ ମାନେ ବାପା, ମା, ଆତ୍ମୀୟ ସ୍ୱଜନଙ୍କୁ ଛାଡି ଦାଦନ ଖାଟିବାକୁ ବାହାରକୁ ଯାଉଛନ୍ତି । ଏଠାରେ ବ୍ୟବସ୍ଥା ହେଲେ ସେମାନେ କାମ କରିବେ । ଏଠାକାର ଲୋକମାନେ ସୁରଟ, ମୁମ୍ବାଇକୁ ଯାଇ ସେମାନଙ୍କ ଅର୍ଥନୀତୁିକୁ ସଦୃଢ କରିପାରୁଥିବା ବେଳେ ୧୯ ବର୍ଷର ଶାସନରେ ରୋଜଗାର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିନାହାନ୍ତି । ଏହି ସରକାରକୁ ବଦଳେଇବା ଦରକାର ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଗରିବ ଲୋକଙ୍କ ପାଇଁ ଘର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା ଦେବାର ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା କଲେ । ରାଜ୍ୟ ସରକାର ଏହି ପଇସା ନନେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲଗାଇବା ପାଇଁ କହିଲେ । ମାତ୍ର ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଲୋକମାନେ ଭାରତ ବର୍ଷର କେଉଁ ମେଡିକାଲରେ ଚିକିତ୍ସା ସେବା ପାଉନାହାନ୍ତି । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା ବଢିଯିବ ବୋଲି ନବୀନ ବାବୁ ଆୟୁଷ୍ମାନ ଭାରତ ଲାଗୁ କଲେ ନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଶାହରୁଖ ଖାଁକୁ ନଚେଇବାକୁ ପଇସା ଅଛି କିନ୍ତୁ ଶିକ୍ଷକ ମାନଙ୍କୁ ଦରମା ଦେବାର ପଇସା ନାହିଁ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କରେଇ ଦେଉନାହାନ୍ତି । ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପଡିବ । ନରେନ୍ଦ୍ର ମୋଦିଙ୍କ ବିକାଶର ଯୋଜନାକୁ ପହଁଚାଇ ବାକୁ ହେଲେ ମୋଦିଙ୍କ ଭୁବନେଶ୍ୱରରେ ତାଙ୍କ ଅନୁଯାୟୀଙ୍କ ସରକାର ବନେଇବାକୁ ପଡିବ । ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ ରାଜ୍ୟ ସରକାର ବଦଳିବା ଦରକାର । ଓଡିଶାରେ ଡବଲ ଇଂଜିନ୍ ଲଗାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିବା ସହ ଫିର୍ ଏକ୍ ବାର୍ ମୋଦି ସରକାର ପାଇଁ ଆହ୍ୱାନ କରିଥିଲେ ।