April 16, 2024

ମନ୍‍ କି ବାତ୍‍ ଜରିଆରେ ପାକିସ୍ତାନକୁ କଡା ଚେତାବନୀ ଦେଲେ ନରେନ୍ଦ୍ର ମୋଦୀ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୯) : ‘ମନ୍‍ କି ବାତ୍‍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ , ଭାରତ ଶାନ୍ତିରେ ବିଶ୍ୱାସ କରେ। ଏହାକୁ ବଜାୟ ରଖିବାକୁ ଚାହେଁ। କିନ୍ତୁ ଏଥିପାଇଁ ଦେଶର ସାର୍ବଭୌମତ୍ୱ ସହିତ ବୁଝାମଣା କରାଯାଇପାରିବ ନାହିଁ। ସୈନ୍ୟ ବାହିନୀ ଉଚିତ ଜବାବ ଦେବେ। ୨୦୧୬ ସେପ୍ଟେମ୍ବର ମାସରେ ଭାରତ-ପାକ୍‍ ସୀମାନ୍ତରେ ଆତଙ୍କବାଦୀ ତାଲିମ ଶିବିର ଉପରେ ଭାରତୀୟ ସେନାଙ୍କ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ଦ୍ୱିବାର୍ଷିକ ପୂର୍ତ୍ତିର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଭାରତ ବିରୋଧୀ ଆଭିମୁଖ୍ୟ ବିରୋଧରେ କଡ଼ା ଚେତାବନୀ ବୋଲି ଆଲୋଚନା ଆରମ୍ଭ ହୋଇଛି।

ରବିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତର ବିକାଶ ଓ ଶାନ୍ତିର ବାତାବରଣକୁ ବ୍ୟାହତ କରିବାକୁ ଚେଷ୍ଟା କରୁଥିବା ଶକ୍ତିମାନଙ୍କୁ ଭାରତୀୟ ସୈନିକମାନେ ସଠିକ୍‍ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରିଛନ୍ତି। ଆମର ବାୟୁସେନା ସବୁଠାରୁ ଶକ୍ତିଶାଳୀ। ୧୯୬୫ ଯୁଦ୍ଧରେ ଶତ୍ରୁପକ୍ଷଙ୍କୁ ବାୟୁ ସେନା ଉଚିତ ଜବାବ ଦେଇଥିଲା।
‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ ବାପୁଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅକ୍ଟୋବର ୨ ତାରିଖ ଆମ ପାଇଁ ଏକ ସ୍ୱତନ୍ତ୍ର ଦିନ। ବାପୁଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ବାପୁଙ୍କ ବାର୍ତ୍ତା ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ପଡ଼ିବ। ଏତଦ୍‍ବ୍ୟତୀତ ମାନବାଧିକାର ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.