ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ଦେଶବାସୀଙ୍କୁ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୩) : ଏକ ଗୁରୁତ୍ତ୍ୱପୂର୍ଣ ଘଟଣା କ୍ରମରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ମହାକାଶ ଇତିହାସରେ ତାର ନାଁ ସାମିଲ କରିଛି। ମାତ୍ର ୩ ମିନିଟରେ ଏକ ଲୋ-ଅର୍ବିଟ ସାଟେଲାଇଟକୁ କକ୍ଷପଥରୁ ଖସେଇବାରେ ସକ୍ଷମ ହୋଇଛି। ଏହି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ଭାବେ ଖ୍ୟାତି ଅର୍ଜନ କରିଛି।
ମିଶନ ଶକ୍ତି ଅଧୀନରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ଯାହା ଅତ୍ୟନ୍ତ କଠିନ ଓ ଉଚ୍ଚକୋଟୀର ଜ୍ଞାନକୌଶଳ ଆବଶ୍ୟକ କରିଥାଏ। ଲିଓ ସାଟେଲାଇଟକୁ ନଷ୍ଟ କରିଥିବା ସାଟେଲାଇଟ ନିରୋଧୀ କ୍ଷେପଣାସ୍ତ୍ର ଭାରତରେ ବିକାଶ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ କହିଥିଲେ ଆଜି କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତ ଆଜି ନିଜର ନାଁ ମହାକାଶ ମହାଶକ୍ତି ଭାବରେ ପରିଚୟ ହାସଲ କରିଛି। ଏ ଯାଏଁ ବିଶ୍ୱର ତିନୋଟି ଦେଶ ଆମେରିକା, ରୁଷ ଏବଂ ଚୀନ ଏହି ସଫଳତା ପାଇଥିଲେ। ଏବେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଆମ ବୈଜ୍ଞାନିକଗଣ ୩୦୦ କିଲୋମିଟର ଦୂରରେ ମହାକାଶରେ ନିମ୍ନ କକ୍ଷରେ କାର୍ଯ୍ୟ କରୁଥିବା ସାଟେଲାଇଟକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି।’