ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂଟାନ ଗସ୍ତ : ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
1 min read
ଆଓରି-ନୂଆଦିଲ୍ଲୀ(୧୮/୦୮) : ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ମୋଦୀ ଶିକ୍ଷା, ଗବେଷଣା, ଆଇଟି, ବିଦ୍ୟୁତ ସମେତ ୧୦ଟି ପ୍ରକଳ୍ପ ଉପରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଭୁଟାନରେ ‘ରୂପେ’ କାର୍ଡ ଶୁଭାରମ୍ଭ କରିଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭୁଟାନର ରାଜଧାନୀ ଥିମ୍ପୁରେ ଆର୍ଥ ଷ୍ଟେସନ ସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ସରକାରଙ୍କ ସହିତ ୧୦ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଗ୍ରାଉଣ୍ଟ ଆର୍ଥ ଷ୍ଟେସନ ଏବଂ ଷ୍ଟେଟକମ ନେଟୱାର୍କ ଉଦଘାଟନ କରିଛନ୍ତି । ଇସ୍ରୋର ସହଯୋଗରେ ଏହାର ନିର୍ମାଣ ହେବ । ଏହା ଦ୍ୱାରା ଭୁଟାନବାସୀଙ୍କୁ ସୁବିଧା ହେବ ।
ଭାରତ ଓ ଭୁଟାନ ମଧ୍ୟରେ ବିଦ୍ୟୁତ ଉତ୍ପାଦନ ନେଇ ମଧ୍ୟ ବୁଝାମଣା ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପ୍ରାୟ ୭୨୦ ମେଗାୱାଟ ଯୁକ୍ତ ମାଙ୍ଗଦେଚୁ ହାଇଡ୍ରୋପାୱାର ପ୍ଲାଣ୍ଟ ପାଇଁ ବିଦ୍ୟୁତ କିଣିବା ନେଇ ଉଭୟ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ଦେଶ ମଧ୍ୟରେ ସଂପର୍କକୁ ମଜବୁତ କରିବା ପାଇଁ ମୋଦୀ ଭୁଟାନ ଗସ୍ତ କରିଛନ୍ତି ।