March 24, 2023

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା

1 min read

ଆଓରି-ଭୁବନେଶ୍ଵର(୨୬/୦୬) : ଓଡିଶାର ଜଗତସିଂହପୁରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହେବ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ  ଡି.ଭି ସଦାନନ୍ଦ ଗୌଡା ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।

ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ, ମଧ୍ୟ ପ୍ରଦେଶର ରାଇସେନ, ଓଡିଶାର ଜଗତସିଂହପୁର ଓ ତାମିଲନାଡୁର ଥିରୁଭଲ୍ଲୁରଠାରେ ୨୦୧୯-୨୦ ମଧ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯିବା ପାଇଁ ଅନୁମୋଦନ କରାଯାଇଛି।
ଯୋଜନାର ଦ୍ୱିତୀୟ ଦଫାରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଜାମ୍ମୁ କାଶ୍ମୀର ଏବଂ ରାଜସ୍ଥାନରେ ଏହି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆବଶ୍ୟକ ଯୋଗ୍ୟତା ଏବଂ ଡିପିଆରଏସ ସମାପ୍ତି ଆଧାରରେ ଝାଡଖଣ୍ଡର ଦେଓଘର ଏବଂ ମଧ୍ୟ ପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଚୂଡାନ୍ତ ମଞ୍ଜୁରି ପ୍ରଦାନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଏହାର କାର୍ଯକାରିତା ଏବଂ ଡିପିଆର ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ। ଏହି ଯୋଜନା ଫଳରେ ଅଭିନବ ପ୍ରକ୍ରିୟା ମାଧ୍ୟମରେ ବର୍ଜ୍ୟ ପରିଚାଳନା ଏବଂ ପୁନଃଚକ୍ରଣ ଆଦି କରାଯାଇ ପରିବେଶର ସ୍ଥାୟୀ ସୁରକ୍ଷା କରାଯାଇ ପାରିବ। ବର୍ଜ୍ୟ ପରିଚାଳନା ପାଇଁ ଉତ୍ପାଦନ ୟୁନିଟଗୁଡ଼ିକୁ ସହାୟତା ପ୍ରଦାନ ଲାଗି ଭିତିଭୂମି ପ୍ରତିଷ୍ଠା, ଯାନ୍ତ୍ରିକ ଉପକରଣ, ଅଣ-ଧ୍ୱଂସକାରକ ପଦାର୍ଥ ପରୀକ୍ଷଣ, ଉଷ୍ମାୟନ, ଗୋଦାମ ନିର୍ମାଣ, ପ୍ଲାଷ୍ଟିକ ଚକ୍ରୀକରଣ, ଡିଜାଇନ ପ୍ରସ୍ତୁତି, ଗବେଷଣା ଏବଂ ବିକାଶ ଲାଗି ଏହି ଯୋଜନାରେ ବ୍ୟବସ୍ଥା ରହିଥିବା ମନ୍ତ୍ରୀ ସଦାନନ୍ଦ ଗୌଡା ପ୍ରକାଶ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.