March 21, 2023

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ

1 min read
patkura-election_aajira-odisha

ଆଓରି-ଭୁବନେଶ୍ଵର(୨୦/୦୭) : ବହୁପ୍ରତିକ୍ଷୀତ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଛି । ମକ୍ ପୁଲିଂ ପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପାଗ ଅନୁକୂଳ ଥିବାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି ।

ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ୯୬-ପାଟକୁରା ବିଧାନସଭା ଆସନରେ ମତଦାନ ବେଳେ ଭୋଟରଙ୍କ ବାମ ହାତର ମଧ୍ୟମା ଆଙ୍ଗୁଳିରେ ଅଲିଭା କାଳି ଲଗାଯାଉଛି।  ଯଦି କୌଣସି ବୁଥରେ ପୁନଃ ମତଦାନ ହେବ ତେବେ ଅନାମିକା ଆଙ୍ଗୁଳିରେ ଅଲିଭା କାଳି ଲଗାଯିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଏଠାରେ ୨,୪୪,୭୪୭ଜଣ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ପାଟକୁରାରେ ୩୦୯ଟି ବୁଥ୍‌ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍‌ରେ ୱେବ୍ କାଷ୍ଟିଂ କରାଯାଉଛି। ଏହି କାର୍ଯ୍ୟରେ ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ୫୨ ଜଣ ମାଇକ୍ରୋ ଅବଜର୍‌ଭର୍ ନିଯୁକ୍ତ ହୋଇଛନ୍ତି। ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୁଲିସ ଅଟକ ରଖିଛି।

ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ମୁହୂର୍ତ୍ତ​ରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ଓ କଂଗ୍ରେସର ଜୟନ୍ତ କୁମାର ମହାନ୍ତିଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେବା ନେଇ ଆଶା କରାଯାଉଛି ।  ମୋଟ୍ ୧୦ ଜଣ ପ୍ରାର୍ଥୀ ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.