March 28, 2023

ଦୁର୍ନୀତିଗ୍ରସ୍ତ ସରକାରଙ୍କ ପରିବର୍ତ୍ତନ ଚାହୁଁଛନ୍ତି ଓଡିଶାବାସୀ ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-In-Fulbani-Aajira-Odisha

ଆଓରି-ଭୁବନେଶ୍ଵର(୧୧/୦୪) : ଫୁଲବାଣୀ ଫିରିଙ୍ଗିଆରେ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ୧୯ବର୍ଷର ଅପାରଗ ଶାସନ ସମ୍ବନ୍ଧରେ ଆଲୋଚନା କରିବା ସହିତ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଓଡିଶାରେ ମୋଦି ସରକାର ହେଲେ ଗୁଚ୍ଛାପଡାକୁ ବ୍ଲକ କରାଯିବାର ଅପେକ୍ଷାକୁ ପୂରଣ କରାଯିବ । ସେହିପରି ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ କନ୍ଧମାଳରେ ମେଡିକାଲ କଲେଜ୍ କରାଯିବ, ଓଡିଶାର ସବୁ ଜିଲ୍ଲାକୁ ରେଳ ଲାଇନ ନିଆଯିବ, ସବୁ ସବଡିଭିଜନରେ ସରକାରୀ କଲେଜ ପ୍ରତିଷ୍ଠା କରାଯିବ, ଯୁବକଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ, ୫ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଜଳସେଚନର ବ୍ୟବସ୍ଥା କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୧୯ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ କନ୍ଧମାଳର ମା’ ଭଉଣୀମାନେ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା, କସୁମେଣ୍ଡି ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବିକା ମମତା ନାୟକ ଗତ ୫ ବର୍ଷ ହେବ ନିଖୋଜ ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସରକାରୀ କାର୍ଯ୍ୟରେ ଯୋଗଦେବାକୁ ଆସି ସେ ଆଉ ଘରକୁ ଫେରିନାହାନ୍ତି । ଯୁବତୀଙ୍କ ମା’ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରିବା ପରେ ପ୍ରଧାନମନ୍ତ୍ରୀ ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ମମତା ନାୟକର ଏପର୍ଯ୍ୟନ୍ତ ପତା ମିଳିନାହିଁ ବୋଲି ସେ କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକଙ୍କ ପରିଶ୍ରମରେ ହଳଦି ଜିଆଇ ଟ୍ୟାଗ ପାଇ ବିଶ୍ୱରେ ପ୍ରସିଦ୍ଧ ହୋଇପାରିଛି । କିନ୍ତୁ ଏ ଅଂଚଳର ଚାଷୀକୁ କଣ ମିଳୁଛି ବୋଲି ଶ୍ରୀ ପ୍ରଧାନ କରିବା ସହ କହିଛନ୍ତି ଯେ, ୧୯ ବର୍ଷ ଧରି ଲମ୍ବା ଶାସନରେ ରହିବା ପରେ ଏଠାକାର ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ଏଠାକାର ପାଣିର ସୁବିନିଯୋଗ ହୋଇପାରୁ ନାହିଁ, କୌଣସି ଗମନାଗମନର ବ୍ୟବସ୍ଥା ନାହିଁ, ଜଳସେଚନର ବ୍ୟବସ୍ଥା ନାହିଁ , ଓବିସି ପିଲାଙ୍କ ପାଇଁ ପାଠପଢା ଓ ଚାକିରୀରେ କୌଣସି ସୁବିଧା ନାହିଁ, ପିଇବା ପାଣି ନାହିଁ, ଡାକ୍ତର ନାହାଁନ୍ତି, ଶିକ୍ଷକ ନାହାନ୍ତି, ରୋଜଗାରର ଉପଲବ୍ଧ ନାହିଁ, ୨୪ ଘଣ୍ଟା ବିଜୁଳି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ଗୁମଡୁମାହରେ ପୋଲିସ ସାଧାରଣ ଜନତାଙ୍କୁ ନକ୍ସଲ ଭାବି ଗୁଳି ଚାଳନା କଲା । ମାତ୍ର ଏହି ଘଟଣାରେ ଜଣେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଦଣ୍ଡ ମିଳିଲା ନାହିଁ । ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ  ସାଢେ ୪ କୋଟି ଓଡିଆ ତାଙ୍କ ପରିବାର କଥା କହୁଛନ୍ତି । ତା’ହେଲେ ଗୁମୁଡୁମାହ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଆଦିବାସୀ ତାଙ୍କ ପରିବାରର ସଦସ୍ୟ କି ନାହିଁ? ସେହିପରି ମମତା ନାୟକ, କୁନ୍ଦୁଲି ପୀଡିତା, ବେବିନା, ଇତିଶ୍ରୀ, ଦାନମାଝି,  ବୃନ୍ଦା ସାହୁ, ଦଳିତ, ପଛୁଆ ବର୍ଗ, ଗରିବ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡରେ ପଇସା ଖାଇ ଓଡିଶାକୁ ପଛରେ ପକାଇଲେ । ମୁଖ୍ୟମନ୍ତ୍ରୀ ନୀଳବର୍ଣ୍ଣ ଶୃଗାଳ ସଦୃଶ । ସେ ଏକ ଅପାରଗ, ସ୍ଥାଣୁ, ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ ସରକାର ଚଲାଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ବଦଳେଇବା ଦରକାର । ଦୁର୍ନୀତି, ଭ୍ରଷ୍ଟାଚାର ଓ ସମ୍ବେଦନହୀନ ସରକାର ଏଥର ଭୁଷୁଡିବ ଓ ଓଡିଆ ଲୋକ ମୋଦିଙ୍କୁ ବିଜୟ ଦେବେ । ଶେଷରେ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.