March 31, 2023

ଦେଶର ପ୍ରଭାବଶାଳୀ ଅଧିକାରୀ ତାଲିକାରେ ସ୍ଥାନ ପାଇଲେ ଓଡିଆ ପୁଅ ଡ. ପ୍ରମୋଦ କୁମାର ମିଶ୍ର

1 min read
Dr. Pramod Kumar Mishra-Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୦୮) : ସମ୍ବଲପୁରର କୃତୀ ସନ୍ତାନ ତଥା ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଡ. ପ୍ରମୋଦ କୁମାର ମିଶ୍ର ପୁଣି ଥରେ ଦେଶର ପ୍ରଭାବଶାଳୀ ଅଧିକାରୀ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବରେ ମିଶ୍ର ୨୦୧୪ ପରେ ୨୦୧୯ରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେବା ପରେ ଏହି ମାନ୍ୟତା ଲାଭ କରିଛନ୍ତି।

ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଥମ କାର୍ଯ୍ୟକାଳ ୨୦୧୪–୨୦୧୯ ମଧ୍ୟରେ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପଦବୀରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ କାର୍ଯ୍ୟକାଳରେ ମଧ୍ୟ ତାଙ୍କ ଉପରେ ଅଗାଧ ବିଶ୍ୱାସ ରଖି ପୁର୍ନବାର ସେହି ଦାୟିତ୍ୱ ଅର୍ପଣ କରିଛନ୍ତି। ଏହା ସହିତ ଚଳିତ କାର୍ଯ୍ୟକାଳରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀର ପାହ୍ୟା ମଧ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ର ମୋଦୀ ତାଙ୍କ ଉପରେ ଥିବା ବିଶ୍ୱାସ ଓ ସମ୍ମାନକୁ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି।

ଡ. ପ୍ରମୋଦ ମିଶ୍ରଙ୍କୁ ପ୍ରଚ୍ଛଦପଟର ଖେଳାଳୀ ଅଥବା ବ୍ୟାକ୍‌ରୁମ ପ୍ଲେୟାର ଭାବରେ ଦର୍ଶାଯାଇଛି। ନରେନ୍ଦ୍ର ମୋଦୀ ପ୍ରଚାରକ ଭୂମିକାରୁ ସିଧା ମୁଖ୍ୟମନ୍ତ୍ରୀ ହେବା ପରଠାରୁ ମିଶ୍ର ତାଙ୍କ ସହିତ ଦୀର୍ଘ ୧୯ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ଆରଏସଏସ ପ୍ରଚାରକରୁ ସଫଳ ମୁଖ୍ୟମନ୍ତ୍ରୀ ହେବା ପଛରେ ଡ. ମିଶ୍ରଙ୍କ ଭୂମିକା ରହିଥିବା ଖୋଦ ପ୍ରଧାନମନ୍ତ୍ରୀ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସ୍ବୀକାର କରିଛନ୍ତି। ମିଶ୍ର ଜଣେ ବିଶ୍ୱସନୀୟ ଅମଲା ଭାବରେ ଦେଶର ପ୍ରଶାସନିକ ସେବା, ବ୍ୟାଙ୍କିଙ୍ଗ, ସେନା, କୃଷି, ସୁରକ୍ଷା ଆଦି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରର ନିଯୁକ୍ତି ବ୍ୟାପାର ବିଷୟରେ ନିରବଚ୍ଛିନ୍ନ ସେବା ପ୍ରଦାନ କରିଆସୁଛନ୍ତି।

ସମ୍ବଲପୁର ପଟ୍ଟନାୟକପଡା ନିବାସୀ ବିଶିଷ୍ଟ ଆଇନଜୀବୀ ସ୍ଵର୍ଗତ ପ୍ରସନ୍ନ କୁମାର ମିଶ୍ରଙ୍କ ପ୍ରଥମ ସନ୍ତାନ ଡ. ପ୍ରମୋଦ ମିଶ୍ର ଗଙ୍ଗାଧର ମେହେର କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ରାଜଧାନୀ ନୂଆଦିଲ୍ଲୀରୁ ପିଜି ଓ ଇଂଲଣ୍ଡରୁ ପିଏଚଡ଼ି ହାସଲ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ କରିବା ଓ କୃଷି କ୍ଷେତ୍ରରେ ତାଙ୍କର ଭୂମିକା ଏବଂ ଦୀର୍ଘ ସମୟର ସମ୍ପୃକ୍ତି ପାଇଁ ୨୦୧୯ ବର୍ଷ ଲାଗି ମିଳିତ ଜାତିସଂଘର ସମ୍ମାନଜନକ ସାସାକାୱା ପୁରସ୍କାର ଗତ ମେ ୧୭ ତାରିଖରେ ହାସଲ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ପରାମର୍ଶଦାତା ଭାବେ ଖ୍ୟାତ ଡ. ମିଶ୍ର ରାଜ୍ୟରେ ଫନୀ ବାତ୍ୟା ସମୟରେ ପ୍ରଚ୍ଛଦପଟରେ ରହି କାର୍ଯ୍ୟ କରିଥିଲେ। ସରଳ, ମିଷ୍ଠଭାଷୀ ଓ କମ କଥାବାର୍ତ୍ତା କରୁଥିବା ଅତ୍ୟନ୍ତ ଶାନ୍ତ ସ୍ୱଭାବର ଡ. ମିଶ୍ର ସାଧାରଣତଃ ପ୍ରଚାର ପ୍ରସାରରୁ ଦୂରରେ ରହିଥାନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.