ମୋଦୀ ସେନାନୀ ଦ୍ଵାରା ଦିଲ୍ଲୀରେ ଓଡିଆ ନାଗରିକ ମୋଦୀ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୫) : ଗତକାଲି ମୋଦୀ ସେନାନୀ ତରଫରୁ ଦିଲ୍ଲୀ ଓଡିଆ ନାଗରିକ ମୋଦୀ ବିଜୟ ସଂକଳ୍ପ ସମାବେଶ ଦିଲ୍ଲୀ ଛତରପୁରସ୍ଥିତ ମାର୍କଣ୍ଡେୟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ନଗର ନିଗମ ପୂର୍ବତନ ମେୟର ଶ୍ରୀମତୀ ଆରତୀ ମେହେରା, ପୂର୍ବତନ ମନ୍ତ୍ରୀ ଓଡିଶା ସରକାର ତଥା ପୂର୍ବତନ ରାଷ୍ଟ୍ରୀୟ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଓଡିଶା ବିଜେପି ପ୍ରବକ୍ତା ଶ୍ରୀଯୁକ୍ତ ସୁଦୀପ୍ତ କୁମାର ରାୟ , ବିଜେପି କେନ୍ଦ୍ରୀୟ ସହକାରୀ ବିଭାଗ ସଂଯୋଜକ ଶ୍ରୀଯୁକ୍ତ ଧନଞ୍ଜୟ କୁମାର ସିଂହ , ମୋଦୀ ସେନାନୀ ସଂସ୍ଥାପକ ଶ୍ରୀଯୁକ୍ତ ସଂଗ୍ରାମ ଧର, ଦକ୍ଷୀଣ ଦିଲ୍ଲୀ ବିଜେପି ଯୁବମୋର୍ଚ୍ଚା ସଭାପତି ରୋହିତ ଭରଦ୍ଵାଜ ଆଦି ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ ।

ଦିଲ୍ଲୀ ରହୁଥିବା ଓଡିଆ ମତଦାତା ମାନଙ୍କୁ ସଚେତନ ତଥା ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଜୟଯୁକ୍ତ କରିବା ପାଇଁ ଅତିଥି ମାନେ ଆହ୍ଵାନ କରିଥିଲେ। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଊର୍ଦ୍ଧ୍ଵ ପ୍ରବାସୀ ଓଡିଆ ଯୋଗଦାନ କରିଥିଲେ, ତନ୍ମଧ୍ୟରୁ ଶ୍ରୀ ତାପସ ପରିଡା, ଶ୍ରୀ ମଳୟ ପ୍ରଧାନ, କ୍ଷିତିଶ ବେଦାନ୍ତ, ଶ୍ରୀମତୀ ରୀତା ପାତ୍ର ଇତ୍ୟାଦି ନିଜର ମତ ବ୍ୟକ୍ତ କରିଥିଲେ ।
ଗତ ୩ ମଇ ଓଡିଶାରେ ପ୍ରଳୟଙ୍କାରୀ ବାତ୍ୟା ଫୋନି ଓଡିଶାରେ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଉପକୂଳ ଅଂଳଳରେ ଥିବା ଲକ୍ଷାଧିକ ଘରଦ୍ୱାର ଭାଙ୍ଗିଯିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ| ଏହା ସହିତ ବହୁ ସଂସ୍ଥା ସହାୟତା ହାତ ମଧ୍ୟ ବଢାଇଥିଲେ। ସୁନ୍ଦର ଓଡିଶା ଫାଉଣ୍ଡେସନ ଦ୍ଵାରା ତନ୍ମୟ ଦାଶ ୧ ଲକ୍ଷ ଟଙ୍କା, ଓଡିଆ ଶ୍ରୀ ଜଗନ୍ନାଥ ସେବା ସମିତି, ମାଣ୍ଡୀଗାଁ ଏବଂ ଓଡିଆ ୱେଲଫେୟାର ଆସୋସିଏସନ ଦ୍ଵାରା ଶୁଖିଲା ଖାଦ୍ୟ ପଦାର୍ଥ ଦାନ କରିଥିଲେ| ମୋଦୀ ସେନା ଦ୍ଵାରା ଖୁବ ଶୀଘ୍ର ଏହି ରିଲିଫ ସାମଗ୍ରୀଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳଙ୍କୁ ପହଞ୍ଚି ସେବାନିରତ ହେବା ବୋଲି ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର ସୂଚନା ଦେଇଥିଲେ।
ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକାଠି କରି ଏହିପରି ପଦକ୍ଷେପ ନେଇଥିବାରୁ ସମସ୍ତ ଅତିଥିମାନେ ମୋଦୀ ସେନାନୀ ଭୂୟସୀ ପ୍ରଶଂସା କରିଥିଲେ। ମୋଦୀ ସେନାନୀର ମୁଖ୍ୟ ସଂଯୋଜକ ଶ୍ରୀ ଦେବରାଜ ମହାନ୍ତି ଧନ୍ୟବାଦ ଜ୍ଞାପନ ପରେ ସଭା ଶେଷ ହୋଇଥିଲା ।
