ତାମିଲନାଡୁରେ ପୁଣି ଓଡିଆ ଦାଦନ ମୃତ ; ଫେରିପାରୁନି ମୃତକଙ୍କ ଶରୀର
1 min read
ଆଓରି-ଭୁବନେଶ୍ଵର(୧୩/୦୭) : ତାମିଲନାଡୁରେ ପୁଣି ଓଡିଆ ଦାଦନ ମୃତ । ଛଅଦିନ ହେଲା ଫେରିନି ଦାଦନ ଶ୍ରମିକଙ୍କ ଶବ । ଶବକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।
କନ୍ଧମାଳରେ ସରୁନି ଦାଦନ ଦୁଃଖ । ମୃତ୍ୟୁର ଛଅ ଦିନ ପରେ ଗାଁରେ ପହଞ୍ଚି ପାରୁନାହିଁ ମୃତକଙ୍କ ଶବ । ତୁମୁଡିବନ୍ଧ ଥାନା ଅନ୍ତର୍ଗତ କରୁକୁଡପା ଗ୍ରାମପଞ୍ଚାୟତର ବଲକି ଗାଁର ଯିଶାୟ ମାଝୀ ଗାଁରେ କାମ ଧନ୍ଦା ନମିଳିବାରୁ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ସେଠାରେ ଏକ ଇଟା ଭାଟିରେ ରହି କାମକରୁଥିଲେ । ସେଠାରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।
ଗତ ସୋମବାର ଦିନ ଏକ କୂଅରୁ ଯିଶାୟ ମାଝୀଙ୍କ ଶବ ମିଳିଥିଲା । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ତାର ତଦନ୍ତ ଜାରି ରଖିଛି । ସେପଟେ ମୃତ୍ୟୁର ଖବର ପାଇ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଏହାସହ ସମସ୍ତେ ଯିଶାୟର ଫେରିବା ବାଟକୁ ଚାହିଁ ରହିଛନ୍ତି ଛଅ ଦିନ ଧରି । କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି ମଲା ମୁହଁ ଟିକିଏ ଦେଖିବାକୁ ଚାହିଁ ବସିଛନ୍ତି ଆତ୍ମିୟ ସଜନ । ସେପଟେ ପଇସା ଅଭାବରୁ ଫେରିପାରୁନି ଶବ । ଜିଲ୍ଲା ପ୍ରଶାସନଙ୍କୁ ଯିଶାୟର ଶବକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।