ପାସେଞ୍ଜର ଯାନ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି ମହିନ୍ଦ୍ରା
1 min readଆଓରି-ନୂଆଦିଲ୍ଲୀ(୩୧/୭) : ୟୁଟିଲିଟି ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ବିଭିନ୍ନ ମଡେଲ ଯାନ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। କମ୍ପାନୀ ଏହାର ପାସେଞ୍ଜର ଯାନ ମୂଲ୍ୟ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ସୋମବାର ସୂଚନା ଦେଇଛି। ଏହି ଦରବୃଦ୍ଧି ଆସନ୍ତା ମାସଠାରୁ ହେବ। ବିଶେଷ କରି କମୋଡିଟି ମୂଲ୍ୟ ବୃଦ୍ଧି ଘଟୁଥିବା ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବ ବୋଲି ଜଣାଯାଇଛି। ଅଗଷ୍ଟଠାରୁ ଏହି ମୂଲ୍ୟ ୨% ବଢିବ ବୋଲି କମ୍ପାନୀ ପକ୍ଷରୁ ଅଟୋମୋଟିଭ୍ କ୍ଷେତ୍ର ସଭାପତି ରାଜନ ୱାଧେରା କହିଛନ୍ତି।
କମ୍ପାନୀ ବର୍ତ୍ତମାନ ଏକ୍ସୟୁଭି ୫୦୦, ସ୍କର୍ପିଓ, ଟିୟୁଭି ୩୦୦ ଏବଂ କେୟୁଭି ୧୦୦ ଭଳି ବିଭିନ୍ନ ମଡେଲ ବଜାରରେ ଉପଲବ୍ଧ କରାଉଛି। ଚଳିତ ମାସରେ ଟାଟା ମୋଟର୍ସ ଏହାର ଯାନ ଦର ବୃଦ୍ଧି ନେଇ ଘୋଷଣା କରିଥିଲା। କମ୍ପାନୀ ଏହାର ବିଭିନ୍ନ ମଡେଲ ଉପରେ ୨.୨% ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲା। ବର୍ଦ୍ଧିତ ଇନପୁଟ ମୂଲ୍ୟକୁ ନଜରରେ ରଖି କମ୍ପାନୀ ଉକ୍ତ ଘୋଷଣା କରିଥିଲା।