ଅକ୍ଟୋବର ୧ ତାରିଖରେ ଅବସର ନେବେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର
1 min read
ଆଓରି-ନୂଆଦିଲ୍ଲୀ(୨୯/୮) : ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଅକ୍ଟୋବର ୧ ତାରିଖରେ ଅବସର ନେବେ। ଏହା ପୂର୍ବରୁ ପ୍ରାୟ ୩୦ ଦିନ ମଧ୍ୟରେ ସେ ୧୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଫଇସଲା କରିବାର ସମ୍ଭବନା ରହିଛି। ପୂର୍ବରୁ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଖଣ୍ଡପୀଠ ୨୦୧୫ ଜୁଲାଇ ୨୯ ଏବଂ ୩୦ ମଧ୍ୟ ରାତିରେ ୟାକୁବ ମେନନ୍ଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ। ଏଥିପାଇଁ ରାତି ୩ଟାରେ ମେନନ୍ଙ୍କ ଦଣ୍ଡାଦେଶର ପୁନର୍ବିଚାର ପାଇଁ ବସିଥିଲା ବୈଠକ। ଶେଷରେ ଫାଶୀଦଣ୍ଡ ରୋକିବା ପାଇଁ ଆବେଦନ ଭୋର୍ ୪ଟା ୫୬ରେ ଖାରଜ ହୋଇଥିଲା। ଏହା ସମଗ୍ର ବିଶ୍ୱରେ ସୃଷ୍ଟି କରିଥିଲା ହଇଚଇ। ତେବେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ କିଛି ନୂଆ ଇତିହାସ ସୃଷ୍ଟି କରିବାର ଆଶା ରହିଛି। ତାଙ୍କ ଖଣ୍ଡପୀଠରେ ବିଚାର ଚାଲିଥିବା ମାମଲା ମଧ୍ୟରେ ୫ ବର୍ଷରୁ ଅଧିକ ସମୟ ଧରି ବିଚାର ଚାଲିଥିବା ବ୍ୟକ୍ତିଙ୍କୁ ରାଜନୈତିକ ଦଳ ଟିକେଟ ଦେବା ବନ୍ଦ, ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟରେ ଚାଲିଥିବା ବିଚାରର ଲାଇଭ୍ ଷ୍ଟ୍ରିମିଂ, କେରଳ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ, ଆଇପିସି ଧାରା ୪୯୭, ସମଲିଙ୍ଗିକ ସମ୍ପର୍କ, ଆଧାର କାର୍ଡ ବୈଧତା, ଅଯୋଧ୍ୟା ମାମଲା ଆଦି ରହିଛି। ସେହିପରି ଅନ୍ୟ ମାମଲା ଗୁଡ଼ିକ ମଧ୍ୟରେ ସାଂସଦ ଏବଂ ବିଧାୟକଙ୍କୁ ଆଇଜୀବୀ ଭାବେ କାର୍ଯ୍ୟ କରିବା ଉପରେ ରୋକ, ଯୌତୁକ ମାମଲାରେ ତୁରନ୍ତ ଗିରଫ ଉପରେ ରୋକ, ଭିଡ଼ ହିଂସାରେ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି, ବୋହରା ମୁସଲମାନ୍ ସମୁଦାୟରେ ହେଉଥିବା ଘୃଣ୍ୟ ପରମ୍ପରା, ପଦୋନ୍ନତିରେ ଏସସି/ଏସଟି ଆରକ୍ଷଣ ଆଦି ରହିଛି। ଦୀପକ ମିଶ୍ର ଏସବୁ ମାମଲାର ଫଇସଲା କରିବାର ଯଥେଷ୍ଟ ସମ୍ଭାବନା ରହିଛି।