ଆଜି ଖେଳାଯିବ ବର୍ଷା ପାଇଁ ଅଟକି ଥିବା ଇଣ୍ଡିଆ ନ୍ୟୁଜଲାଣ୍ଡ ମ୍ୟାଚ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୭) : ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା ଦେଇଛି। ଖେଳ ଅଟକ ରଖାଯିବା ବେଳକୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଉଇକେଟ ବିନିମୟରେ ୨୧୧ ରନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଧିମା ରହିଥିଲା। ତେବେ ରସ ଟେଲରଙ୍କ ଅପରାଜିତ ୬୭ ରନ ଯୋଗୁ ଦଳ ୨୦୦ ରନ ଅତିକ୍ରମ କରିଥିଲା। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କେନ୍ ୱିଲିୟମସନ ଆଉଟ ହେବାପୂର୍ବରୁ ୯୫ ବଲ୍ରୁ ୬୭ ରନ କରିବାରେ ସମର୍ଥ ହୋଇଥିଲେ।
ନକ୍ଆଉଟ ମ୍ୟାଚ୍ ଥିବାରୁ ଏହି ମୁକାବିଲା ଲାଗି ଏକ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ୍ ମଙ୍ଗଳବାର ନ୍ୟୁଜିଲାଣ୍ଡ ଯେଉଁଠାରେ ତା’ର ବ୍ୟାଟିଂ ଶେଷ କରିଥିଲା, ସେଠାରୁ ବୁଧବାର ଆରମ୍ଭ କରିବ। ନ ହେଲେ ଡିଏଲଏସ୍ ନିୟମ ଭିତ୍ତିରେ ଭାରତୀୟ ଦଳକୁ ୨୦ ଓଭରରେ ୧୪୮ ରନ୍ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିବ। ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ନ ପାରିଲେ, ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କାରଣ ଆଇସିସି ଇଭେଣ୍ଟ ନିୟମ ଅନୁଯାୟୀ ଯଦି ସେମିଫାଇନାଲରେ କୌଣସି କାରଣରୁ ଫଳାଫଳ ବାହାରି ନ ପାରେ ପ୍ରତିପକ୍ଷ ଦଳଠାରୁ ପଏଣ୍ଟ ଟେବୁଲର ଉପରେ ଥିବା ଦଳ ଫାଇନାଲକୁ ଉନ୍ନୀତ ହେବ। ଉଲ୍ଲେଖଥାଉ କି, ଭାରତୀୟ ଦଳ ୯ ମ୍ୟାଚ୍ରୁ ୭ ବିଜୟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ଲିଗ୍ ପର୍ଯ୍ୟାୟ ଅଭିଯାନ ଶେଷ କରିଛି। ଯଦି ବର୍ଷା କାରଣରୁ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ନିର୍ଦ୍ଧାରିତ ୧୪ ତାରିଖ ଓ ରିଜର୍ଭ ଡେ’ (୧୫ ତାରିଖ)ରେ ମଧ୍ୟ ଖେଳ ନ ହୋଇପାରିଲେ ଦୁଇ ଦଳକୁ ବିଜେତା ହିସାବରେ ଗ୍ରହଣ କରାଯିବ। ନକ୍ଆଉଟ ପର୍ଯ୍ୟାୟର ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ମଧ୍ୟରୁ କୌଣସି ଯଦି ଡ୍ର’ ହୁଏ, ତେବେ ସୁପର ଓଭର ଖେଳାଯିବ।