December 4, 2022

ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟ କରାଇବ ଭାରତ

1 min read

ଆଓରି-ନୂଆଦିଲ୍ଲୀ(୧୮/୦୨) : ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣରେ ଯବାନମାନେ ସହିଦ ହେବା ପରଠୁ ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଏହି ଘଟଣା ପାଇଁ ପାକିସ୍ତାନରୁ ଅପରେଟ୍‌ ହେଉଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । ଏହାପରେ ପାକିସ୍ତାନ ପ୍ରତି ଭାରତ ଉଭୟ କୁଟନୈତିକ ଏବଂ ରାଜନୈତିକ ସ୍ତରରେ ପ୍ରତିଶୋଧ ନେବା ପାଇଁ ଅଣ୍ଟାଭିଡ଼ିଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଭାରତ ତା’ର ସବୁ ପ୍ରକ୍ରିୟା ଆରମ୍ଭ କରିସାରିଛି । ମୋଷ୍ଟ ଫେଭର୍ଡ ନେସନ(ଏମଏଫ୍‌ଏନ୍‌) ଫେରାଇବା ସହ ପ୍ରତ୍ୟେକ ଦ୍ରବ୍ୟ ଉପରେ କଷ୍ଟମ ଡ୍ୟୁଟିକୁ ୨୦୦ ପ୍ରତିଶତକୁ ବୃଦ୍ଧି କରିଛି ଭାରତ । ଏବେ ଭାରତ ପାକିସ୍ତାନର ଇକୋନୋମିକୁ ବିଶ୍ୱରେ ବ୍ଲାକଲିଷ୍ଟ କରିବାକୁ ଯୋଜନା କରିସାରିଛି ।

ଆତଙ୍କୀ ଫଣ୍ଡିଂ ଏବଂ ମନି ଲଣ୍ଡରିଂ ବିରୋଧରେ କାର୍ଯ୍ୟ କରୁଥିବା ସଂସ୍ଥା ଫଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସକୁ ଭାରତ ଏନେଇ ତଥ୍ୟ ପ୍ରଦାନ କରି ପାକିସ୍ତାନର ଇକୋନୋମିକୁ ବ୍ଲାକ୍‌ଲିଷ୍ଟ କରିବା ପାଇଁ ଅପିଲ କରିପାରେ । ଏଫ୍‌ଏଟିଏଫ୍‌ ପୂର୍ବବର୍ଷ ଜୁଲାଇ ମାସରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରିସାରିଛି  । ଏହାସହ ପାକ୍‌ର ଆଚରଣ ଯଦି ନବଦଳେ ତେବେ ତାକୁ ବ୍ଲାକଲିଷ୍ଟ କରାଯିବ ବୋଲି ଚେତାବନୀ ଦେଇଥିଲା ଏଫ୍‌ଏଟିଏଫ୍‌ ।

ଆସନ୍ତା ସପ୍ତାହରେ ଏଫ୍‌ଏଟିଏଫ୍‌ର ମିଟିଂ ପ୍ୟାରିସ୍‌ରେ ହେବାର ଅଛି । ଏହି ସମୟରେ ଭାରତର ଦାବି ଉପରେ ଆଲୋଚନା କରିବା ସହ ପାକ୍‌କୁ ବ୍ଲାକ୍‌ଲିଷ୍ଟ କରିବାର ନିଷ୍ପତ୍ତି ମଧ୍ୟ ନିଆଯାଇପାରେ ।  ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ଅନୁଯାୟୀ ପାକ୍‌କୁ ବ୍ଲାକଲିଷ୍ଟ ଘୋଷଣା କରିବା ପାଇଁ ଏଫ୍‌ଏଟିଏଫ୍‌କୁ ପୁରା ପ୍ରମାଣ ଦେବାକୁ ପ୍ରସ୍ତୁତ ହୋଇଛି ଭାରତ । ପୂର୍ବରୁ ଉତ୍ତର କୋରିଆ ଏବଂ ଇରାନକୁ ଏଫ୍‌ଏଟିଏଫ୍‌ ବ୍ଲାକ୍‌ଲିଷ୍ଟ ଘୋଷଣା କରିସାରିଛି ।

ଏଫ୍‌ଏଟିଏଫ୍‌ ତରଫରୁ ବ୍ଲାକ୍‌ଲିଷ୍ଟ କରିବାର ଅର୍ଥ ହେଉଛି ସମ୍ପୃକ୍ତ ଦେଶ ମନି ଲଣ୍ଡରିଂ ଏବଂ ଆତଙ୍କବାଦ ବିରୋଧରେ ଲଢିବାରେ ସହାୟତା କରୁନାହିଁ । ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟ କରାଗଲେ ଓ୍ୱାର୍ଲଡ ବ୍ୟାଙ୍କ , ଆଇଏମଏଫ୍‌, ଏଡିବି, ୟୁରୋପିଆନ୍‌ ୟୁନିୟନ ପାଖରୁ ଋଣ ମିଳିବା କଷ୍ଟସାଧ୍ୟ ହୋଇଯିବ । ଏହାସହ ବିଶ୍ୱର ବଡ଼ବଡ଼ ଏଜେନ୍ସି ରେଟିଂ ମଧ୍ୟ କମାଇବାର ସମ୍ଭାବନା ବଢିଯିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.