ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ରୁଷକୁ ୧୦୦ କୋଟି ଡଲାର ଋଣ ପ୍ରଦାନ କରିବ ଭାରତ ; ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୦୫/୦୯) : ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ଭାରତ ରୁଷକୁ ୧୦୦ କୋଟି ଡଲାର ଋଣ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୁଷର ଭ୍ଲାଦିଭୋସ୍ତକଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ ଯୋଗଦେଇ ଉଦବୋଧନ ଦେବା ଅବସରରେ ଏହି ଘୋଷଣା କରିଛନ୍ତି।
୨ ଦିନିଆ ରୁଷ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଗୁରୁବାର ଶେଷ ହେଉଛି। ଗସ୍ତ ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଅନେକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ ଯୋଗଦେବାକୁ ମୋଦୀଙ୍କୁ ପୁଟିନ ଆମନ୍ତ୍ରଣ କରିଥିଲେ। ମୋଦୀ ଏଥିରେ ଯୋଗଦେଇ କହିଥିଲେ, ଏହି ମଞ୍ଚରେ ଆଜି ମୋର ବିଚାର କେବଳ ସୁଦୂର ପୂର୍ବାଞ୍ଚଳରେ ମାନବ କଲ୍ୟାଣକୁ ମଜଭୁତ କରିବନି, ବରଂ ସମ୍ପୂର୍ଣ୍ଣ ମାନବ ଜାତିକୁ ମଜଭୁତ କରିବ।
ଭାରତ ଏବଂ ସୁଦୂର ପୂର୍ବାଞ୍ଚଳ ମଧ୍ୟରେ ସମ୍ପର୍କ ନୂଆ ନୁହେଁ, ବର୍ଷ ବର୍ଷର ପୁରୁଣା। ଭ୍ଲାଦିଭୋସ୍ତକରେ ଦୂତାବାସ ପ୍ରତିଷ୍ଠା କରିବାରେ ଭାରତ ହେଉଛି ପ୍ରଥମ ଦେଶ। ଯେତେବେଳେ ଅନ୍ୟ ଦେଶର ନାଗରିକଙ୍କ ଉପରେ କଟକଣା ଥିଲା, ସେତେବେଳେ ଭ୍ଲାଦିଭୋସ୍ତକ ଭାରତୀୟଙ୍କ ପାଇଁ ମୁକ୍ତ ଥିଲା। ଭାରତରେ ଆମେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ଦିଗରେ କାମ କରୁଛୁ। ଆଗାମୀ ୨୦୨୪ ସୁଦ୍ଧା ଆମର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଛୁଇଁବା ଲାଗି ଲକ୍ଷ୍ୟ ରଖାଯାଇଛି।
ମୋଦୀ ଆହୁରି କହିଥିଲେ, ଭାରତ ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ରୁଷ୍କୁ ୧୦୦ କୋଟି ଡଲାର ଋଣ ଦେବ। ମୋ ସରକାର ‘ଆକ୍ଟ ଇଷ୍ଟ’ ନୀତି ଅନୁସାରେ ପୂର୍ବ ଏସିଆର ବିକାଶ ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଏହା ଆମର ଅର୍ଥନୈତିକ କୂଟନୀତିକୁ ନୂଆ ଦିଗ ଦେବ ବୋଲି ମୋଦୀ କହିଥିଲେ।